ବାଣପୁର: ପ୍ରଥମାଷ୍ଟମୀରେ ପରୁଆଁ ହେଲେ ମା’ ଭଗବତୀ

Published: Nov 27, 2021, 7:35 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି।

ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ଅଙ୍ଗରାଗ, ମାଜଣା, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ ବଲ୍ଲଭ ପରେ ମାଙ୍କୁ ପିତା ଦକ୍ଷ ପ୍ରଜାପତିଙ୍କ ଘରୁ ଆସିଥିବା ନବପାଟବସ୍ତ୍ରରେ ବେଶ କରାଯାଇ ସାଧାରଣ ଦର୍ଶନ କରାଯାଇଥିଲା। ପରେ ଖେଚେଡି, ଡାଲି, ଏଣ୍ଡୁରି ରେ ଧୁପ କରାଯାଇ ଆରତି ବଢିଥିଲା।

ଆଜି ମା’ଙ୍କ ନିମନ୍ତେ ଅଷ୍ଟମୀ ଭାର ସହିତ ନୂତନ ବସ୍ତ୍ର ମା’ଙ୍କ ଛତିଶାସେବକ ଦଣ୍ଡ ସେଣା ଦକ୍ଷପ୍ରଜାପତି ମନ୍ଦିରରୁ ଏଣ୍ଡାଓମେଣ୍ଟ ଦ୍ୱାରା ପ୍ରସ୍ତୁତ ଭାର ନେଇ ମନ୍ଦିରରେ ପହଞ୍ଚାଇଥିଲେ। କାରଣ ମା’ ଭଗବତୀ ଦକ୍ଷପ୍ରଜାପତିଙ୍କ କନ୍ୟା ଭାବରେ ପୁରାଣରେ ବର୍ଣ୍ଣିତ ଅଛି। ଅନୁରୂପ ଭାବେ ବାଣପୁରର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ମଧ୍ୟ ପ୍ରଥମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।

Related posts