ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଉଦଘାଟିତ ହେଲା ରଜ ଉତ୍ସବ

Published: Jun 14, 2022, 8:09 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଗଣ ପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବକୁ ବଡ଼କୁଳ ସରପଞ୍ଚ ପ୍ରହଲ୍ଲାଦ ବେହରା ଓ ଡୁଙ୍ଗମାଳ ସରପଞ୍ଚ ଗଣେଶ୍ୱର ସ୍ୱାଇଁ ମିଳିତ ଭାବେ ଉଦଘାଟନ କରିଥିବାବେଳେ ସ୍ଥାନୀୟ ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ଓଟିଡିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୌବିହାର ପାଇଁ ବଡ଼କୁଳ ପାନ୍ଥନିବାସ କୁ ଦେଶ ବିଦେଶରୁ ସଦାସର୍ବଦା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ରଜ ପର୍ବ ଉପଲକ୍ଷେ ରଜ ପାନ,ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଯୋଗାଇ ଦେଇଥାଏ ପାନ୍ଥନିବାସ।

ଏଥିସହିତ ରଜ ଦୋଳିର ମଜା ନେବାପାଇଁ ପାନ୍ଥନିବାସ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରଜଦୋଳିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଶ୍ରୀ କରଙ୍କ ସୂଚନା ମୁତାବକ ଏହି ଗଣପର୍ବ ୨୦୧୫ ମସିହାରୁ ଏଠାରେ ପାଳିତ ହୋଇଆସୁଥିବା ବେଳେ ଗତ ଦୁଇ ବର୍ଷ କରୋନା କଟକଣା ନିମନ୍ତେ ବନ୍ଦ ଥିଲା।ମାତ୍ର ଚଳିତ ବର୍ଷ କରୋନା ର ପ୍ରକୋପ କମିବାପରେ ପୁଣି ପାରମ୍ପରିକ ଭାବେ ଏହି ଉତ୍ସବ ପାଳନ କରାଯାଇଛି। ଏହି ପର୍ଵ ଦୀର୍ଘ ତିନି ଧରି ପାଳନ କରାଯିବ।

Related posts