ସଂସ୍କୃତି ବିଭାଗରେ ପାଳିତ ହେଲା ଆନ୍ତର୍ଜାତୀୟ ଅଭିଲେଖାଗାର ଦିବସ

Published: Jun 11, 2021, 2:10 am IST

ଭୁବନେଶ୍ୱର, ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନପୂର୍ବକ ଅନ୍‌ଲାଇନ୍‌ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହି ଦିବସଟି ପାଳନ କରାଯାଇଛି । ଏହି ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଲେଖାଗାର ହେଉଛି ଚଳନ୍ତି ଇତିହାସର ଗନ୍ତାଘର ବୋଲି କହିଥିଲେ ।

ଦଲିଲ୍‌ ଦସ୍ତାବିଜ୍‌, ବହିପତ୍ର, ଚିଠିପତ୍ର, ଫାଇଲ୍‌ ଆଦି ପରି ପ୍ରାମାଣିକ ତଥ୍ୟ ଏବଂ କାଗଜପତ୍ରଗୁଡ଼ିକ ଅଭିଲେଖାଗାରରୁ ମିଳିଥାଏ । ତେଣୁ ଏହା ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏବଂ ସଚେତନ ଜନସାଧାରଣଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ । ସେଥିପାଇଁ ଅଭିଲେଖାଗାରକୁ ସଶକ୍ତ କରିବା ନିମନ୍ତେ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ଅଭିଲେଖାଗାର ହେଉଛି ଗୋଟିଏ ସଭ୍ୟତା ଓ ସଂସ୍କୃତିର ପ୍ରବକ୍ତା । ଇତିହାସର ପୁନରୁଦ୍ଧାର ସହିତ ସମକାଳୀନ ପ୍ରସଙ୍ଗ ତଥା ଭବିଷ୍ୟତର ନିର୍ଘଣ୍ଟ ପ୍ରସ୍ତୁତିରେ ଅଭିଲେଖାଗାରର ବଡ଼ ଭୂମିକା ରହିଛି । ବର୍ତ୍ତମାନର ଯୁଗ ହେଉଛି ସୂଚନା ବା ତଥ୍ୟର ଯୁଗ ।ଏହି ସୂଚନା ବା ତଥ୍ୟର ଅନ୍ୟତମ ଭଣ୍ଡାର ହେଉଛି ଅଭିଲେଖାଗାର ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲ୍ଲୀ ଏହି ଦୃଶ୍ୟଶ୍ରାବ୍ୟ ସଭାରେ ପ୍ରାରମ୍ଭିକ ଭାଷଣରେ ପ୍ରତି ନାଗରିକଙ୍କୁ ଜଣେ ଜଣେ ଅଭିଲେଖାବିତ୍‌ ହେବା ପାଇଁ ଆହ୍ୱାନ ଦେବା ସହ ବିଶ୍ୱର କୋଣ-ଅନୁକୋଣରେ ଥିବା ସମସ୍ତ ଅଭିଲେଖବିତ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।

Related posts