ଦୋଳିରେ ଝୁଲିଲେ, ପୋଡପିଠା ଖାଇ ରଜ ପାଳନ କଲେ ଜଟଣୀ ବିଧାୟକ ସୁର ରାଉତରାୟ

Published: Jun 14, 2021, 6:21 pm IST

ଭୁବନେଶ୍ୱର, ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିରାଡମ୍ବରରେ, ସାଂକେତିକ ଭାବେ କୋଭିଡ ଆଇନ ଅନୁସାରେ ରଜ ଉତ୍ସବ ପାଳନ କରିଛନ୍ତି । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଏବଂ ପରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମଦନପୁର ଠାରେ ପିଲାଙ୍କ ସହ ରଜପର୍ବ ପାଳନ କରିଥିଲେ । ନିଜେ ଦୋଳି ଖେଳିବା ସହ ଛୋଟ ପିଲାମାନଙ୍କୁ ଦୋଳି ଖେଳାଇଥିଲେ ।

ସେ କହିଥିଲେ କରୋନାର ଯନ୍ତ୍ରଣା ଭିତରେ ପବିତ୍ର ରଜ ପର୍ବକୁ କେବଳ ସାଂକେତିକ ଭାବରେ ପାଳନ କରାଯାଉଛି । ଯେଉଁଠି ୫୦ଟି ଦୋଳି ଲାଗିବା କଥା ସେଥି ଗୋଟିଏ ଦୋଳି ଲଗାଇ ପର୍ବଟିକୁ କେବଳ ପାଳନ କରାଯାଉଛି । ରାଉତରାୟ କହିଥିଲେ ରଜ ତିନିଦିନିକୁ ଓଡ଼ିଶାର ପୁରପଲ୍ଲୀର ସାଧାରଣ ଲୋକ ଯେଉଁ ଯାକଜମକରେ ପାଳନ କରିଥାନ୍ତେ ସେଥିରେ କରୋନା ବାଧକ ସାଜିଛି ।

ସେ କହିଥିଲେ ଏହି ପର୍ବର ପ୍ରଥମ ଦିନ ଶୁଖିଲା ଖଇ, ଉଖୁଡ଼ା, ମୁଆଁ ଦ୍ୱିତୀୟ ଦିନ ପିଠାପଣା ଏବଂ ତୃତୀୟ ଦିନ ଆମିଷ ଭୋଜନ କରାଯାଏ । କରୋନା ମହାମାରୀ ଥିବାରୁ ଲୋକେ ଏ ପର୍ବକୁ ଅନ୍ତରରେ ଏବଂ ହୃଦୟରେ ମନେ ପକେଇ ପାଳନ କରନ୍ତୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଛେନୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଗୀତାଞ୍ଜଳି ବେହେରା, ବ୍ରଜବନ୍ଧୁ ବଳିଆରସିଂ, ସୌମ୍ୟରଞ୍ଜନ ପଟ୍ଟନାୟକ, ତାପସ ବିଦ୍ୟାଧର, ବିକ୍ରମ ପଣ୍ଡା, ବିମଳ ବେହେରା ଓ ବିକ୍ରମ ସୁନ୍ଦରରାୟ ପ୍ରମଖୁ ଅଂଶଗ୍ରହଣ କରିଥିଲେ ।

Related posts