ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଜାରି ହେଲା ମାର୍ଗଦର୍ଶିକା: କାଲିଠୁ ସେବାୟତଙ୍କ ପରିବାରଙ୍କୁ ଅନୁମତି

Published: Aug 11, 2021, 12:41 pm IST

ପୁରୀ: ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ମାର୍ଗଦର୍ଶିକା ଜାରି କରିଛି। ଆସନ୍ତାକାଲିଠୁ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ଆସନ୍ତା ୧୬ ତାରିଖରୁ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି।

ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts