ରାଜନେତାରୁ ରାଜ୍ୟପାଳ, ଏକ ସୁଦୀର୍ଘ ଯାତ୍ରାର ନାୟକ : ବିଶ୍ବଭୂଷଣ ହରିଚନ୍ଦନ

Published: Jul 17, 2019, 3:09 pm IST

ସମୀକ୍ଷା ବ୍ୟୁରୋ

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ବିଜେପିର ଜଣେ ବରିଷ୍ଠ ନେତା ଓ ଦୀର୍ଘବର୍ଷ ଧରି ଜନସଙ୍ଘ, ଜନତା ଦଳ ଓ ବିଜେପି ସହ ଜଡ଼ିତ ରହିଛନ୍ତି । ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମିତ ଶ୍ରୀ ହରିଚନ୍ଦନ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ  ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି  ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି  ବିଜେପିର ରାଜ୍ୟ ସଭାପତି ରହିଥିଲେ । ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।  ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ  ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ରାଜନୀତି ବ୍ୟତୀତ ସାହିତ୍ୟରେ ବେଶ୍‌ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍‌’, ‘ରାଣା ପ୍ରତାପ’, ‘ଅସ୍ତଶିଖା’ ଓ ‘ମାନସୀ’ ପ୍ରମୁଖ । ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରି ନାହିଁ’ ଅର୍ପଣ କରିଥିଲେ। ଜଣେ ଦକ୍ଷ ଓଡ଼ିଆ ରାଜନେତା ହିସାବରେ ବିଶ୍ବଭୂଷଣ ଓଡ଼ିଆ ରାଜନୀତି ନୁହେଁ ବରଂ ଓଡ଼ିଶାର ସମାଜ ଜୀବନରେ  ବେଶ୍‌ ପରିଚିତ। ରାଜନେତାରୁ କ୍ୟାରିଅର ଆରମ୍ଭ କରିଥିବା ବିଶ୍ବଭୂଷଣ ବର୍ତ୍ତମାନ ସମ୍ମାନଜନକ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ। ଜଣେ ରାଜନେତାରୁ ରାଜ୍ୟପାଳ ହେବାର ଯାତ୍ରାରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦଳ ମତ ନିର୍ବିଶେଷରେ ସେ ତାଙ୍କ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବା ନେଇ ଆଶା ପ୍ରକଟ କରୁଛୁ।

Related posts