Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ମୃଣାଳ ସେନଙ୍କ ଆତ୍ମଜୀବନୀର ନିର୍ବାଚିତ ଅଂଶ; ସବୁବେଳେ ଜନ୍ମଲାଭ
ବ୍ୟକ୍ତିତ୍ୱ

ମୃଣାଳ ସେନଙ୍କ ଆତ୍ମଜୀବନୀର ନିର୍ବାଚିତ ଅଂଶ; ସବୁବେଳେ ଜନ୍ମଲାଭ

January 7, 2019No Comments9 Mins Read
Share Facebook Twitter LinkedIn Email WhatsApp Copy Link
ଅନୁସୃଜନ:ଜ୍ୟୋତି ନନ୍ଦ
(ବିଶିଷ୍ଠ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ମୃଣାଳ ସେନ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଇ ଅନୁସୃଜନ ଟି ତାଙ୍କର ଆତ୍ମଜୀବନୀ “ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ “ର ଏକ ନିର୍ବାଚିତ ଅଂଶ।କୌଣସି ସୁନିପୁଣ ଚିତ୍ରନାଟ୍ୟ ପରି ଶ୍ରୀଯୁକ୍ତ ସେନ୍ ଏଠାରେ ତାଙ୍କର ଦେଶତ୍ୟାଗ ର ବେଦନାକୁ ପ୍ରତିବେଦନ କରିଛନ୍ତି।
ଶ୍ରୀଯୁକ୍ତ ମୃଣାଳ ସେନ୍ ଙ୍କ ସଂପର୍କରେ ଆଉ ଗୋଟିଏ ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କଥାକୁ ସେ ନିଜର କିଛି ସାକ୍ଷାତକାର ରେ  ପ୍ରକାଶ କରିଛନ୍ତି।ସେହି କଥାଟି ହେଲା ବିଶ୍ୱବିଖ୍ୟାତ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ ଙ୍କ ସହ ତାଙ୍କର ଘନିଷ୍ଠ ବଂଧୁତା।
୧୯୮୨ରେ ଶ୍ରୀଯୁକ୍ତ ମୃଣାଳ ସେନ୍ ଓ ଶ୍ରୀଯୁକ୍ତ ମାର୍କେଜ୍  ଉଭୟେ କାନ୍ ଚଳଚ୍ଚିତ୍ର ଉତ୍ସବରେ ଜୁରୀ ହିସାବରେ ଯୋଗ ଦେଇଥିଲେ।ସେଇଠୁ ଉଭୟଙ୍କ ମଧ୍ୟରେ ବଂଧୁତାର ଆରମ୍ଭ।ଏହାର ଦୁଇତିନି ବର୍ଷ ପରେ ପୁଣି ହାଭାନାରେ ଉଭୟେ ଜୁରୀ ଓ ପୁଣି ଆଡ୍ଡା ସାହିତ୍ୟ ଓ ରାଜନୀତି ଚର୍ଚ୍ଚା।ସେଇଠେ ମାର୍କେଜ୍ ନିଜ ଲେଖାକୁ ନେଇ ଶ୍ରୀଯୁକ୍ତ ସେନ୍ ଙ୍କୁ ଏକ ଚଳଚ୍ଚିତ୍ର ନିର୍ମାଣର ପ୍ରସ୍ତାବ ଦିଅନ୍ତି।ଏବଂ ଏଥିପାଇଁ ସେ କୌଣସି ପାରିଶ୍ରମିକ ନେବେନାହିଁ ବୋଲି ଅଙ୍ଗୀକାର କରନ୍ତି।ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମାର୍କେଜ୍ ନିଜ ଲେଖାକୁ ନେଇ ଚଳଚ୍ଚିତ୍ର କରିବାକୁ କାହାକୁ ଅନୁମତି ଦେଉନଥିଲେ।କାରଣ ତାଙ୍କର ଧାରଣା ଥିଲା ଯେ ତାଙ୍କର କାହାଣୀର ମୂଳ ସୁର ଯେଉଁ ଯାଦୁବିଦ୍ୟା ତାହା ଏହିପରି ଚଳଚ୍ଚିତ୍ରାୟନରେ ନଷ୍ଟ ହୋଇଯିବ।
ଶ୍ରୀଯୁକ୍ତ ସେନ୍ ଙ୍କ ଅନୁସାରେ ମାର୍କେଜ୍ ଅସଲରେ ଏକ ଭାରତୀୟ ଯୋଗସୂତ୍ର ପ୍ରତିଷ୍ଠା କରିବାକୁ ଚାହୁଁଥିଲେ।ସେ ଯେହେତୁ  ପିଲାଙ୍କ ବହିରେ ଥିବା  ଗୋଟିଏ ଭାରତୀୟ ଘରକୁ ଦେଖି “ଗୋତ୍ରପିତାର ହେମନ୍ତ “ବା “ଅଟମ ଅଫ୍ ଏ ଗ୍ରେଟ୍ ପାଟ୍ରିଆର୍କ ” ବହି ଟି ଲେଖିଛନ୍ତି ତେଣୁ ଏଇଟି ର ଚଳଚ୍ଚିତ୍ରରୂପ ଭାରତୀୟ ଭାଷାରେ ହେବାକୁ ସେ ଚାହୁଁଥିଲେ।ମାତ୍ର ଲାଟିନ୍ ଆମେରିକା ର ପୃଷ୍ଟଭୂମିରେ ଲିଖିତ ଏହି ଉପନ୍ୟାସକୁ ଭାରତୀୟତା ପ୍ରଦାନ କରିବାରେ ଶ୍ରୀଯୁକ୍ତ ସେନ ନିଜର ଅସାମର୍ଥ୍ୟ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ।
ଏଥିରୁ ଶ୍ରୀଯୁକ୍ତ ମୃଣାଳ ସେନ୍ ଙ୍କ ଚିତ୍ରନିର୍ମାଣର  ବୈଶିଷ୍ଟ୍ୟ ବୁଝାଯାଇପାରେ।)
ମୋର ବାବାମାଆ କେବେହେଲେ ଭାବିନଥିଲେ ଯେ ସେମାନଙ୍କୁ ଦିନେ ତାଙ୍କର ପ୍ରିୟ ସ୍ୱଦେଶ ଛାଡିବାକୁ ହେବ।କିନ୍ତୁ ନାନାଧରଣର ସମସ୍ୟା ଦେଖାଦେଲା ଆଉ ପରିସ୍ଥିତିର ଚରମ ଅବନତି ଘଟିଲା।ପରିସ୍ଥିତିର ଦାୟରେ ବାଧ୍ୟ ହୋଇ ସେମାନେ ସିଦ୍ଧାନ୍ତ ନେଲେ ସବୁ ସମ୍ପତ୍ତି ବିକ୍ରି କରି ଦେଶତ୍ୟାଗ କରିବା ଛଡା ଆଉ ବିକଳ୍ପ କିଛି ନାହିଁ।ଶାଗମାଛ ଦରରେ ସବୁ ବିକ୍ରିକରିଦେଇ ସେମାନେ ସପରିବାର କଲିକତାରେ ଉପସ୍ଥିତ ହୋଇଗଲେ ଉଦ୍ବାସ୍ତୁର ପରିଚୟ ନେଇ।ଘରଦ୍ୱାର ଛାଡିବା ପୂର୍ବରୁ ଯିଏ ଆଭର ସଂପତ୍ତି ସବୁକୁ କିଣିନେଇଥିଲେ ତାଙ୍କ ନିକଟରେ ବାବା ଗୋଟିଏ ଛୋଟ ଅନୁରୋଧ କରିଥିଲେ,”ଆପଣଙ୍କୁ କଥା ଦିଅନ୍ତୁ ବୋଲି କହୁନାହିଁ..ଯଦି ସଂଭବ ହୁଏ..ପୋଖରୀ ପାଖରେ ଯେଉଁ ଛୋଟ ସ୍ମୃତିସ୍ତମ୍ଭଟି ଅଛି ତାହା ଯଦି ରକ୍ଷାପାଇଯାଏ..ଟିକିଏ ଦେଖିବେ।”
ସେହି ସ୍ମୃତିସ୍ତମ୍ଭଟି ହେଉଛି ମୋର ଛୋଟ ଭଉଣୀ ରେବାର।ସେ ପାଞ୍ଚ ବର୍ଷ ବୟସରେ ବାହୁଡି ଯାଇଥିଲା ଏଠାରୁ।ଗୋଡଖସି ଯିବାରୁ ସେ ପୋଖରୀରେ ପଡିଗଲା ଆଉ ସେଇଠେ  ବୁଡିଯାଇ ତାହାର ପ୍ରାଣ ହଜିଗଲା।
ରେବା ଆମର ସବୁ ଭାଇଭଉଣୀଙ୍କ ଭିତରେ ସବୁଠୁ ବେଶି ପ୍ରିୟ ଥିଲା।ସାତଭାଇ ଆଉ ପାଞ୍ଚ ଭଉଣୀ ର ବିରାଟ ପରିବାରରେ ସେ ବଡହୋଇଥିଲା।ମୁଁ ଭାଇମାନଙ୍କ ଭିତରେ ଷଷ୍ଠ ଆଉ ରେବା ଭଉଣୀ ମାନଙ୍କ ଭିତରେ ସବୁଠୁ ଛୋଟ।ସେ ସବୁଠୁ ଆଦରର ଥିଲା,ଆମ ପାଖପଡୋଶୀମାନେ ବି ତାହାକୁ ଖୁବ୍ ଭଲପାଉଥିଲେ।ଯେତିକି ମନେପଡୁଛି ସେହି ଦୁର୍ଭାଗ୍ୟର ଦିନଟି ଥିଲା ଖୋଟିଏ ଛୁଟିଦିନ,ଆମେ ସମସ୍ତେ ଦିପହରରେ ଖାଇ ବସିଥିଲୁ।ରେବା ଘାଟକୁ ଯାଇଥିଲା।ମୋର ପରିଷ୍କାର ମନେଅଛି ଘାଟଟି ଖୁବ୍ ଚମତ୍କାର ଥିଲା-ପାହାଚବଂଧା ଘାଟ।କେତୋଟି ପାହାଚ ପାଣି ତଳେବି ଥିଲା।ପାଣିର କେତେ ଇଞ୍ଚ ଉପରକୁ ଗୋଟିଏ ପାହାଚ ସହ ବଂଧାହୋଇଥିଲା ଗୋଟିଏ ବାଉଁଶର ମଞ୍ଚା ଆଉ ସେଇ ମଂଚାଟି ପଡିଥିଲା ପୋଖରୀର ବେଶ୍ ଭିତର ଯାଏଁ ।ଆମେ ସେହି ବାଉଁଶର ମଂଚାକୁ ଧରି ପୋଖରୀ ଯଉପରେ ଚାଲିବାକୁ ଭାରି ସୁଖ ପାଉଥିଲୁ। ମଚମଚକରି ସେଇଠି ଯିବାବେଳେ ବେଳେବେଳେ ତଳକୁ ଗୋଡ ଓହଳାଇ ପୋଖରୀର ପାଣିକୁ ଛୁଉଁଥିଲୁ।ବସୁଥିଲୁ।ରେବାବି ସେମିତି କରେ।ଆଉ ସେ ସେହି ମଞ୍ଚାର ଗୋଟିଏ ପଟେ ଗୋଡ ଓହଳାଇ ବସି ଗୁଣୁଗୁଣୁକରି ଗୀତ ଗାଉଥାଏ।କିନ୍ତୁ ସେଦିନ ଅସଲରେ କ’ଣ ଘଟିଥିଲା ତାହା କେହି ଜାଣନ୍ତି ନାହିଁ।କେହି ଘଟଣାସ୍ଥଳରେ ନଥିଲେ।ଆମେ ସମସ୍ତେ ପରେ ଧରି ନେଇଥିଲୁ ଯେ ମଂଚାର ଏକବାରେ ସାମନାପଟକୁ ଯାଇ ପାଣିରେ ପାଦବୁଡେଇ ସେ ବସିଥିଲା ଏବଂ ହଠାତ୍ ପାଦ ଖସି ସେ ପଡିଗଲା।ଯେତେବେଳେ ବେଶ୍ ଅନେକ ସମୟ ଧରି ତାହାର ଦେଖା ନାହିଁ ଘରେ ବାହାରେ ତାହାକୁ ଖୋଜାହେଲା ।ସେ ମିଳିଲାନି। ଶେଷରେ ଆମର ସେଜଦା ଭଲ ପହଁରା ଜାଣେ ପୋଖରୀକୁ ଡେଇଁ ପଡିଲା।ଆଉ ଟିକିଏ ପରେ ତାହାକୁ ଉଦ୍ଧାର କରାଗଲା, ମୃତ ଅବସ୍ଥାରେ।ଜଳଭିତରେ ତାହାର ମୃତ୍ୟୁ ହୋଇସାରିଥିଲା।
ରେବାର ମୃତ୍ୟୁ ଖବର ଇଲାକାରେ ଦ୍ରୁତ ବେଗରେ ବ୍ୟାପିଗଲା।ସମସ୍ତେ ଦେଖିବାକୁ ଆସିଲେ।ସେ ସମସ୍ତଙ୍କର ପ୍ରିୟ ଥିଲା।କଲିକତାରୁ ଆସିଲେ ଆମ ବଡଭାଇ ଶୈଳେଶଦା।ତାଙ୍କ ସହିତ ଆସିଥିଲେ ତାଙ୍କର ପ୍ରିୟ ବଂଧୁ ଜସିମୁଦ୍ଦିନ। କହିବାକୁ ଗଲେ ଜସିମଦାର ରେବା ଥିଲା ଅନେକ କିଛି।ଜସିମଦା ମାନେ ଜସିମୁଦ୍ଦିନ ବାଙ୍ଗଲା ଦେଶ୍ ର ଜନପ୍ରିୟ କବି ଆଉ ନିଜର ପଲ୍ଲୀ-କବିତା ପାଇଁ ବିଖ୍ୟାତ ଆମମାନଙ୍କଭିତରୁ କାହାକାହାଠୁ ପଦେକି ଦିପଦ ଶୁଣିଲେ ମନଦେଇ ଆଉ ତାହାପରେ ସମୟ ନଷ୍ଟ ନକରି ସେହି ଘାତକ-ଘାଟ ପାଖକୁ ଗଲେ।ତାଙ୍କୁ କିଏ ଚା’ ଯାଚିଥିଲା।ସେ ମନା କରିଦେଇଥିଲେ।ଦିପହରରେ ଖୁବ୍ ଅଳ୍ପ କ’ଣ ଦିଇଟା ଖାଇଥିଲେ।ଖୁବ୍ କମ୍।ଦି ପହର ବେଳକୁ ସେ ଆମ ମାଆକୁ ଡାକିଲେ ପାଖକୁ।ମାଆକୁ ଘାଟ ନିକଟରେ ଜାବୁଡି ଧରି ଶିଶୁଭଳି କାନ୍ଦୁଥିଲେ ଜସିମଦା।ତାହାପରେ ସେ ଦୁଇଜଣ ନୀରବ।ଏହାପରେ ଜସିମଦା ମାଆକୁ ରେବା ବିଷୟରେ ଗୋଟିଏ ଅଜଣା କଥା ଜଣାଇଥିଲେ।ରେବାର ଏହିଭଳି ଅନେକ ଗୋପନକଥା ଥିଲା ଯାହା କେବଳ ଜସିମଦା ଜାଣିଥିଲେ। ସେ ମାସେ ଆଗରୁ ରେବାର ଗୋଟିଏ ଅଜଣା କଥା ମାଆକୁ କହିଲେ।ସେ କହିଥିଲେ,ରେବା ତାଙ୍କୁ ପ୍ରତିଜ୍ଞା କରେଇଥିଲା ଯେ ଥରୁଟିଏ ତାହାକୁ ପୂରା ରାତି ଅନିଦ୍ରା ରହିପାରିବାର ସୁଯୋଗ ଦେବାକୁ ହେବ ଏବଂ ଦେଖାଇଦେବାକୁ ହେବ ତା’କୁ ଯେ ରାତିସାରା କେଉଁଭଳି ଫୁଲ ଟିଏ ଫୁଟେ।
ଅନେକ ପରେ ମାଆ ରେବା-ସଂପର୍କିତ ଏଇସବୁ  ବିବିଧ ଘଟଣାର କଥା ଆମକୁ ଶୁଣେଇଥିଲା।
ଜସିମଦା ଯେତେବେଳେ ପ୍ରାଇମେରୀ ସ୍କୁଲ୍ ରେ ପଢୁଥିଲେ ସେଇ ସମୟରୁ ତାଙ୍କ ଭିତରେ ଗୋଟିଏ କବିଭାବ ଥିଲା।ପରେ ସେ ଜଣେ ବିଖ୍ୟାତ କବି ହୁଅନ୍ତି।ଆମର ଜସିମଦାକୁ ସ୍ୱୟଂ ରବୀନ୍ଦ୍ରନାଥ ବି ବେଶ୍ ପସନ୍ଦ କରୁଥିଲେ।ତାଙ୍କର ଅନେକ କ୍ଲାସିକ କାବ୍ୟୋପନ୍ୟାସ ଭିତରୁ “ନକଶୀ କନ୍ଥାର ମାଠ”ବୋଲି ଏକ ଲେଖା ଅବଲମ୍ବନରେ ସଂପ୍ରତି କୋଲକାତାରେ ଗୋଟିଏ ଉଚ୍ଚମାନର କାବ୍ୟନାଟକ ମଂଚସ୍ଥ ହୋଇଛି।
ସେଦିନ ସୂର୍ଯ୍ୟାସ୍ତ ପରେ ଜସିମଦା ପୋଖରୀ ଘାଟରୁ ଫେରିଆସନ୍ତି ଓ ଆମ ସହିତ କିଛି ସମୟ ଅତିବାହିତ କରନ୍ତି।ଆମ ଘରଠୁ ପାଂଚମାଇଲ୍ ଦୂରରେ ଥିବା ତାଙ୍କର ନିଜଘରକୁ ଯିବା ପୂର୍ବରୁ ସେ ମାଆର ହାତକୁ ଘାଟ ନିକଟରେ ବସିଥିବା ବେଳେ ଲିଖିତ ଗୋଟିଏ କବିତା ଦେଇଯାଆନ୍ତି।ସେ ମାଆକୁ କହନ୍ତି ଯେ ଏହାକୁ ସେ ଯେମିତି କେବେହେଲେ କେଉଁଠି ପ୍ରକାଶ କରିବାକୁ ନଦିଅନ୍ତି।କେବେ ନୁହଁ।ଏଇଟି କେବଳ ତାଙ୍କ ପାଖରେ ରହିବ।କବିତାଟି ରେବାକୁ ନେଇ ଲେଖା।
୧୯୩୦ ସାଲ ସେପ୍ଟେମ୍ବରରେ ମୃତ୍ୟୁର ପୂର୍ବଯାଏଁ ମାଆ କବିତାଟି ତାପାଖରେ ସାଇତି ରଖିଥିଲା।ଗୋଟିଏ ଖାମରେ ଖୁବ୍ ଯତ୍ନରେ।ଏପରିକି ଯେତେବେଳେ ସେ ବାବାଙ୍କ ସହିତ ଦେଶତ୍ୟାଗ କରିଥିଲା ସେତେବେଳେ ବି ସେ ସେ କବିତାକୁ ନିଜ ସହିତ ନେବାକୁ ଆଦୌ ଭୁଲି ନଥିଲା।ତାହାର ଚିତାରେ ସେ କବିତାଟି ପୋଡି ପାଉଁଶ ହୋଇ ଯାଇଥିଲା।
 ୧୯୯୦ ସାଲ ରେ ଦେଶତ୍ୟାଗ ର ୪୭ ବର୍ଷ ପାର ହୋଇଯାଇଛି ଏମିତି ଏକ ସମୟରେ ସେହି ଛୋଟ ସହରର ସେହି ଘରଟିର ସାମ୍ନାରେ ମୁଁ ଓ ମୋର ପତ୍ନୀ ଠିଆ ହୋଇଥିଲୁ ଦିନେ।ଏଇଟି ଏଇଲେ ଏକ ସ୍ଵାଧୀନ ରାଷ୍ଟ୍ର ,ନାଆଁ ବାଙ୍ଗଲା ଦେଶ।ଏଇଟି ସେହି ଘର ଯେଉଁଠି ମୁଁ ମୋର ଶୈଶବ ଏବଂ ବଢି ଉଠିଥିବା ବେଳର କାଳ ବିତାଇଛି।ମୋଟ୍  ୪୭ ବର୍ଷରେ ସେହି ଘରର ମାଲିକବଦଳ ହୋଇଛି,କେବଳ ଥରେ।ଯିଏ ମୋର ବାବାଙ୍କ ଠାରୁ ଘର ଓ ଅନ୍ୟାନ୍ୟ ସଂପତ୍ତି କିଣିନେଇଥିଲେ ସେ ତାଙ୍କର ନୂତନ କ୍ରେତାଙ୍କୁ ଘରବିକ୍ରୀର ସମୟରେ ବାବାଙ୍କୁ ଦେଇଥିବା ସେହି “ପ୍ରତିଜ୍ଞା”ର କଥା କହିବାକୁ ଭୁଲି ନଥିଲେ।ସେ କରାଚୀକୁ ଚାଲି ଯିବାପୂର୍ବରୁ ନୂତନ କ୍ରେତାଙ୍କୁ ପୋଖରୀଘାଟର ସେହି ସ୍ମୃତିସ୍ତମ୍ଭଟି କୁ ରକ୍ଷା କରିବାର କଥା କହିଯାଆନ୍ତି।ଏଇ ୪୭ବର୍ଷରେ, ଆଶ୍ଚର୍ଯ୍ୟ,ମୁଁ ମୋର ଏଇ ସୁଦୂରଅତୀତର କଥା ଥରଟିଏ ବି ମନେପକାଇନି।ଏଇଟି କ’ଣ ଏଇଥିପାଇଁ ଯେ ଏଇ ଦୀର୍ଘ ସମୟରେ ମୁଁ ଦେଶତ୍ୟାଗର ସାମାନ୍ୟତମ ଯନ୍ତ୍ରଣା ଅନୁଭବ କରିନାହିଁ ?ତାହା ଯଦି ହୁଏ ତେବେ ଏଇଲେ କାହିଁକି ?ଗତ ୧୬ବର୍ଷ ଭିତରେ ମୁଁ ଢେର୍ ଥର ଢାକା ଆସିଛି,ଆମନ୍ତ୍ରଣ ମିଳିଛି,କାହିଁକି କୌଣସିଥର ଏଠିକି ଆସିବାକୁ ଇଚ୍ଛା ହୋଇନି ?କାହିଁକି ଅଧଡଜନେ ମୋର ନିଜସ୍ୱ ସହରକୁ ମିଳିଥିବା ନିମନ୍ତ୍ରଣ ସବୁକୁ ପ୍ରତ୍ଯାଖ୍ଯାନ କରିଆସିଛି ଏଯାଏଁ? ଢାକା ରୁ ସେଠିକୁ ଯାଇ ଫେରିଆସିବାକୁ କେତେ ବା ସମୟ ଲାଗେ ?ଏତେଦିନ ପରେ ୪୭ବର୍ଷ ପରେ କାହିଁକି ଆସିଲି ଏଠିକୁ ?ସତ କହିଲେ,ମୋ ପାଖରେ ଏହାର କୌଣସି ଉତ୍ତର ନାହିଁ।
ମୋର ଶୈଶବରେ ଢାକାରୁ ଫରିଦପୁର୍ ଯିବାଟା ଆନନ୍ଦଦାୟକ ଅଭିଜ୍ଞତା ହେଲେ ବି ପ୍ରାୟ ଲାଗିଯାଉଥିଲା ପୂରା ଗୋଟିଏ ଦିନ।ସବୁବେଳେ ନଦୀପଥରେ ଯିବାକୁ ହୁଏ,ନାରାୟଣଗଞ୍ଜରୁ ଏମୁ କି ଅଷ୍ଟ୍ରିଚ୍ ବା ଏଇମିତି କିଛି ନିଆଁର କୌଣସି ଦୋତାଲା ଜାହାଜ ଚଢି ଦୂରନ୍ତ ପଦ୍ମାନଦୀରେ ଆମକୁ ଅଭିଯାତ୍ରା  କରିବାକୁ ହୁଏ । ମଝିରେ ଦୁମଦିମ ନାଆଁର ଛୋଟ ଫେରି ରେ ଉଠିବାକୁ ପଡେ,ଦୁଇପଟେ ପାଟ ଆଉ ଧାନର କ୍ଷେତ ଆଉ ମଝିରେ ଗୋଟିଏ ସରୁ ନାଳ ଦେଇ ଆମେ ଆମ ସହର ଫରିଦପୁରକୁ ଫେରୁଥିଲୁ ।ଏବେ ଯାତାୟତ ବ୍ୟବସ୍ଥାର ବ୍ୟାପକ ଉନ୍ନତି ହେବା ଫଳରେ ଯନ୍ତ୍ରଚାଳିତ ଯାନରେ ,ପଦ୍ମାରେ ଫେରି ଧରି ଢାକାରୁ ମାତ୍ର ଚାରିଘଣ୍ଟାରେ ଫରିଦପୁର ଯାଇ ହେବ।
ଏଥର ୧୯୯୦ରେ ମୁଁ ଓ ମୋର ସ୍ତ୍ରୀ ଢାକାରେ ପହଂଚିବାପରେ   ଠିକ୍ କଲୁ ଫରିଦପୁର୍ ଯିବୁ,କିଛି ଘଣ୍ଟା ପାଇଁ ହେଉ ପଛକେ।ଏହି ସିଦ୍ଧାନ୍ତ ପଛରେ ସେମିତି କିଛି ବିଶେଷ କାରଣ ନଥିଲା।ଆମେ ଢାକାରୁ ଆସିଛୁ ମାତ୍ର ତିନିଦିନ ପାଇଁ,ଗୋଟିଏ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେବା ପାଇଁ।ଆମେ ଠିକ୍ କଲୁ ଚତୁର୍ଥଦିନ ଯିବୁ ଫରିଦପୁର।ଆମ ସହିତ ସାଥିରେ ଥିଲା ଆମର ତରୁଣ କ୍ୟାମେରାମ୍ୟାନ୍ ଶଶୀ ଆନନ୍ଦ,ଶଶୀର ବାପାମାଆ ଭାରତକୁ ଆସିଛନ୍ତି ରାଓଲପିଣ୍ଡିରୁ।ଦେଶଭାଗର ବର୍ଷ ସେମାନେ ପଳାଇ ଆସିଥିଲେ।ସେମାନେ ଯେତେବେଳେ କଲିକତାକୁ ଆସିଥିଲେ ସେତେବେଳେ ସେମାନେ ଉଦବାସ୍ତୁ ଥିଲେ,ମାତ୍ର ଶଶୀତ ଉଦବାସ୍ତୁ ନୁହଁ।ତାହାର ଜନ୍ମ ଭାରତରେ,କଲିକତାରେ। ସେ ଯେତେବେଳେ ବଡ ହେଲା ତାହାର ବାପାମାଆ ସେମାନଙ୍କ ବିଷୟରେ ଅନେକ ଗପ ତାହାକୁ କହିଛନ୍ତି।ରାଓଲପିଣ୍ଡି କୁ ନିଜେ ନଗଲେ ବି ସେ ପୂର୍ବାଂଶେ ଆମର ସହରଟି କେମିତି ତାହାକୁ  ଦେଖିବା ପାଇଁ ସେ ବେଶ୍ ଆଗ୍ରହୀ ହୋଇ ଉଠେ।
ସେହି ଭ୍ରମଣର କଥା ଭୁଲି ହେବନାହିଁ।ଆମେ ତିନିଜଣ “ବିଦେଶୀ”,ମୁଁ,ମୋ ସ୍ତ୍ରୀ ଗୀତା ସେନ୍  ଓ ଶଶୀ।ଆଉ ଆମ ସହିତ ଗାଇଡ୍ ହିସାବରେ ମୋର ବଂଧୁ ଆବୁଲ ଖାୟେର୍।ସେ ଭାରି ମଉଜିଆ ଲୋକ।
ସହର ଯେତିକି ପାଖାପାଖି ହେଉଥିଲା ମୋର ଉତ୍କଣ୍ଠା ସେତେ ଅଧିକ ବଢି ଚାଲିଥିଲା।”କ’ଣ ହୋଇଛି?”ଆମ ଗାଇଡ୍ ପଚାରିଲେ।
ଏଇ ନାଳ ଟା ତ ସାମ୍ନାରେ,ଆତ୍ମବିଶ୍ୱାସ ସହ କହିଥିଲି,ଆଉ ତାଙ୍କୁ ଚମକାଇଦେବାକୁ ଯାଇ କହିଲି,ଆରେ ଏଇଟା ତ ସେଇ କାଠର ବ୍ରିଜଟା !
ଆବୁଲ ଖାୟେର୍ କହିଲି,କାଠର ବ୍ରିଜଟା ଭାଙ୍ଗିବାର ଉପକ୍ରମ ହୋଇଛି।ଟିକିଏ ପରେ ଆପଣ ସେଇଠେ ଗୋଟିଏ କଂକ୍ରିଟ୍ ର ବ୍ରିଜ୍ ଦେଖିବେ,ଏଇ ବ୍ରିଜ୍ ର ବୟସ ପନ୍ଦର ବର୍ଷ।
ଆମେ ବ୍ରିଜ୍ ଟି ଅତିକ୍ରମ କରିବାର ପରେ ସିଧା ଚାଲିଲୁ  ଏବଂ ଗୋଟିଏ ବାଙ୍କ ନେଇ ଗଳି ଭିତରକୁ ପଶିଲୁ।ସବୁକିଛି ପରିଚ୍ଛନ୍ନ,ସଂଭ୍ରାନ୍ତ,ଶ୍ରଦ୍ଧେୟ ଦେଖାଯାଉଥିଲା।ଏହି ଇଲାକା ଆମମାନଙ୍କ ସମୟରେ ଖୁବ୍ ଅପରିଚ୍ଛନ୍ନ ଓ ନିଷିଦ୍ଧ ଥିଲା।ଆମ ଗାଡିଟି ଗୋଟିଏ ଘର ସାମ୍ନାରେ ଅଟକି ଗଲା।ଆମେ ଗାଡିରୁ ଓହ୍ଲାଇଲୁ।
ଅଭ୍ୟର୍ଥନା ଓ ଭୁରିଭୋଜନ ପରେ ଆମେ ଟିକିଏ ବିଶ୍ରାମ ନେଲୁ ।ତାହାପରେ ଆମେମାନେ “ଅତୀତ” ଅନୁସଂଧାନକରିବାକୁ ବାହାର ହେଲୁ।ପାଦରେ ଚାଲି ଚାଲି।
ସ୍ମୃତିର ପୃଷ୍ଠାରୁ ସବୁକିଛି ଗୋଟିକ ପରେ ଗୋଟିଏ ତରତର ହୋଇ ଖୋଲିଯିବାକୁ ବସିଲେ।ପ୍ରାୟ ଶହେ ବା ତାହାଠୁ ବେଶି ସ୍ଥାନୀୟ ଲୋକ ଆମ ପଛେପଛେ।ସେମାନେ ମୋତେ ଚିହ୍ନିଛନ୍ତି, ଆଉ ସେଇ ଘରଟିକୁ ଖୋଜିନେବାକୁ ଦୁଇତିନିଜଣ ଲେଖାଏଁ ହୋଇହୋଇ ସେମାନଙ୍କ ସଂଖ୍ୟା ବଢିବାକୁ ଲାଗିଲା।ମୁଁ ସେତେବେଳେ ଉତ୍ତେଜିତ,କାରଣ ପ୍ରତି ପଦକ୍ଷେପରେ ଏକପ୍ରକାରର ଅନିଶ୍ଚିତତା ମୋତେ ଗ୍ରାସ କରୁଥିଲା।ସ୍ମୃତି ଆଉ ବାସ୍ତବ ଭିତରେ କେତେ ବା ମିଳନ ସଂଭବ ? ମୁଁ ସ୍ଥାନୀୟ ଲୋକଙ୍କୁ କିଛି କଥା କହିବାକୁ  ଚାହୁଁନଥିଲି ,ମୁଁ ନିଜେହିଁ ସବୁକିଛି ଖୋଜି ବାହାର କରିନେବାକୁ ଚାହୁଁଥିଲି।ତାହା ଏମିତି ଏକ ଅଭିଜ୍ଞତା ଥିଲା ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ।ଏବଂ ମୁଁ ଆମ ଘର ଆବିଷ୍କାର କରିଥିଲି,ଏକା।୪୭ ବର୍ଷ ପରେ।
ମୁଁ ଯେତେବେଳେ ଘରର ସାମ୍ନାରେ ଠିଆ,ମୋ ସାମ୍ନାରେ ସେତେବେଳେ କିଛି ଲୋକ ଏପଟ ସେପଟ ହେଉଥାନ୍ତି।କେହି କିଛି କହୁନଥାନ୍ତି, ନିଜନିଜ ଭିତରେ କି ମୋ ସହିତ।ସେହି ନୀରବତା ଥିଲା ବେଶ୍ ଆବେଗସଂଚାରୀ।
ଗୀତା ମୋତେ ଖୁବ୍ ଆସ୍ତେ ପଚାରିଲା,ସବୁକିଛି ଚିହ୍ନି ପାରୁଛ ତ?ଲୋକମାନଙ୍କୁ ?
ମୁଁ ମୁଣ୍ଡ ହଲେଇଲି।ଗୀତା ମୋ କାନ୍ଧକୁ ଥାପୁଡାଇ ଦେଉଥିଲା ଖୁବ୍ ଆସ୍ତେ।ମୋ କାନ୍ଦିବାକୁ ଇଚ୍ଛା ହେଉଥିଲା,କିନ୍ତୁ କାନ୍ଦିଲି ନାହିଁ।
କିଏ ଜଣେ ପଛରୁ ସାମନାକୁ ଆଗେଇ ଆସିଲା।ସେ କହିଲା ମୋ ସାମ୍ନାରେ ଯିଏ ଛିଡାହୋଇଛନ୍ତି ସେହିଁ ଆମଘରର ନୂଆ ମାଲିକ।ଠିକ୍ ଏତିକି ବେଳେ ସାଧାରଣ ଗୃହବଧୂ ଭଳି ଦେଖାଯାଉଥିବା ଜଣେ ମଧ୍ୟବୟସ୍କା ମହିଳା ମୋ ସ୍ତ୍ରୀର ହାତକୁ ଗୋଛାଏ ଫୁଲ ବଢାଇଦେଇ ହସହସ ମୁଁହରେ କହିଥିଲେ,ଆପଣ ଆପଣଙ୍କ ଶ୍ବଶୁରଘର ସାମ୍ନାରେ ଛିଡା ହୋଇଛନ୍ତି ଭଉଣୀ !
ଗୀତା ଆବେଗାପ୍ଲୁତ ହୋଇ ପଡିଲା।
ମହିଳା ଜଣକ ଏହାପରେ ମୋତେ କହିଲେ ,ଆସନ୍ତୁ ଭିତରକୁ,ପୋଖରୀ ଘାଟରେ ସ୍ମୃତିସ୍ତମ୍ଭ ଦେଖିବେ।
ମୁଁ ହତବାକ୍।ଗୀତା ବି।ସେ ଆଗରୁ ମୋର ଏଇ ଭଉଣୀ ବିଷୟରେ ସବୁକିଛି ଶୁଣିଛି।
ଗୃହବଧୂଜଣକ ପୁଣି କହିଲେ,ଆପଣଙ୍କ ଭଉଣୀ ରେବାର ସ୍ମୃତିସ୍ତମ୍ଭ।
ଗୀତା ଆଉ ମୁଁ ପରସ୍ପରକୁ ଚାହିଁଲୁ।
ମୋର ଗଳା ବାଷ୍ପରୁଦ୍ଧ।
ଆସନ୍ତୁ,ପୁଣି କହିଲେ ସେ।
ହଠାତ୍ ମୋର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କଥା ମନେପଡିଗଲା।ଆତତାୟୀ ହାତରେ ନିହତ ହେବା ପୂର୍ବରୁ ତାଙ୍କର ଯେଉଁ ଅନୁଭୂତି ହୋଇଥିଲା ତାହା ମୁଁ ଅନୁମାନ କରିବାକୁ ଚେଷ୍ଟା କରୁଥିଲି।ମହାତ୍ମା ଯଦି ଏଇଠି ଏବେ ଥାଆନ୍ତେ !
ଯଦି ମୁଁ ଗର୍ବର ସହିତ ମୋ ବାବାଙ୍କୁ କହି ପାରିଥାନ୍ତି ଯେ ତାଙ୍କର ଛୋଟ ଝିଅ ରେବା ର ଛୋଟ ସ୍ମୃତିସ୍ତମ୍ଭଟିକୁ କେତେ ମମତାରେ ଯତ୍ନର ସହ ରକ୍ଷା କରାଯାଇଛି !ରକ୍ଷା କରିଛନ୍ତି ସେମାନେ ,ଯେଉଁମାନେ ତାହାର ସଂପତ୍ତି କୁ କିଣିନେଇଥିଲେ।ମାଲିକାନାର ହାତବଦଳ ହୋଇଥିଲେ ବି ସ୍ମୃତିସ୍ତମ୍ଭର କୌଣସି କ୍ଷତି ହୋଇନାହିଁ।
ପୋଖରୀଘାଟକୁ ଦୌଡିଗଲି।
ମୁଁ ଯଦି ମୋ ମାଆକୁ କହିପାରନ୍ତି ଯେ ତାହାର ଛୋଟ ଝିଅଟି ଏବେବି ସେହି ଘାତକଘାଟ ପାଖରେ ରହିଛି,ଯେଉଁ ଘାଟରେ ଜସିମଦା ସାରାଦିନ କାଟି ଗୋଟିଏ ଦୀର୍ଘ କବିତା ଲେଖିଥିଲେ।
ହଠାତ୍ ମୋ ଆଖି ଆଗରେ ଝଲସିଗଲା ଅନେକଦିନରୁ ହଜିଯାଇଥିବା ପୁଅର ଗୋଟିଏ ମାଆର ଛାତିରେ ଆଲିଙ୍ଗନାବଦ୍ଧ ହୋଇଥିବାର ଦୃଶ୍ୟଟି। ଘଟଣାଟି ହେଉଛି ମା ଆଉ ଜସିମଦାର ଶେଷ ସାକ୍ଷାତ୍  ର ଦୃଶ୍ୟଟି।ମାଆର ମୃତ୍ୟୁର ତିନିବର୍ଷ ଆଗେକାର କଥା।ସମ୍ଭବତଃ ଜସିମଦା ସେତେବେଳେ ଢାକା ବିଶ୍ୱବିଦ୍ୟାଳୟର ବାଂଲା ବିଭାଗର ମୂଖ୍ଯ ପଦବୀରୁ ଅବସର ନେଇଥାନ୍ତି।ସେଇଟି ଥିଲା ଏକ ସ୍ମରଣୀୟ ମୁହୂର୍ତ୍ତ।ଜସିମଦା ରବୀନ୍ଦ୍ରଭାରତୀ ବିଶ୍ଵବିଦ୍ୟାଳୟରୁ ତାଙ୍କର ସୃଜନଶୀଳତାର ସ୍ୱୀକୃତି  ପାଇଁ ସମ୍ମାନଜନକ ଡି.ଲିଟ୍ ଉପାଧି ପାଇଲେ ।ଅନୁଷ୍ଠାନ ଶେଷ ହେଲା ,ସେ କିନ୍ତୁ କଲିକତାରେ କିଛିଦିନ ରହିଥିଲେ।ସେ ଅନେକଥର ମୋତେ ଫୋନ୍ କରିଥିଲେ,ସେତେବେଳକୁ ମୁଁ କଲିକତାର ବାହାରେ ।
ମୁଁ ଫେରିଆସି ତାଙ୍କୁ ଫୋନ୍ କଲି। ସେ ମୋତେ ଚଂଚଳ ଆସି ତାଙ୍କ ସାଙ୍ଗର ଘରକୁ ଯେଉଁଠି ସେ ରହୁଥିଲେ ସେଇଠି ପହଂଚିବାରୁ କହିଲେ ଆଉ ତାହାପରେ ମୋତେ କହିଥିଲେ ମୋ ମାଆ ପାଖକୁ ନେଇଯିବାକୁ।ମାଆ ସେତେବେଳେ ମୋ ତୃତୀୟ ଭାଇ ଗଣେଷଦା ପାଖରେ ରହୁଥିଲା।ମା ସେତେବେଳେ ଖୁବ୍ ଅସୁସ୍ଥ  ,ଶଯ୍ୟାତ୍ୟାଗ, ହୃଦରୋଗୀ।ମୁଁ ତାହାକୁ ଜସିମଦା ର କଥା କହିଲି ଆଉ ଆମେ ଅଧଘଣ୍ଟା ଭିତରେ ସେଇଠେ ପହଂଚିଗଲୁ।ଗାଡି ଇଂଜିନିୟର ବଂଦ ହେଲା ବେଳକୁ ଶୁଣିଲି ମାଆ ଡାକୁଛି ,ଜସିମ।ଜସିମଦା ଉତ୍ତର ଦେଲେ,ଜୀ ମାଆ।
ଜସିମଦା ମାଆ ପାଖରେ ବାରଣ୍ଡାରେ।ସେଇଠେ ଦୁଇଜଣ ମାଆ ଆଉ ପୁଅ ଆଲିଙ୍ଗନାବଦ୍ଧ।ଦେଖିଲି।ସେମାନେ ପିଲାଙ୍କ ଭଳି କାନ୍ଦୁ ଥାନ୍ତି।
ମୁଁ ଟିକିଏ ଦୂରରେ ଆବେଗାପ୍ଲୁତ ହୋଇ ଏ ଦୃଶ୍ୟ ଦେଖୁଥାଏ।ସେମାନଙ୍କର ମିଳନ ଦେଶଭାଗର
ଯାତନାକୁ ପରିଷ୍କାର ବୁଝାଇ ଦେଉଥାଏ।
•••••
mrinansen odisha news
Share. Facebook Twitter LinkedIn Email WhatsApp Copy Link

Related Posts

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ଦ୍ବିତୀୟ ଦିନରେ ମଧ୍ୟ ସଂସଦର ଉଭୟ ଗୃହରେ ହାଙ୍ଗାମା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନକ ପାଇଁ ଗୃହ ମୁଲତବି

July 22, 2025

ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଯାଜପୁର ଜିଲ୍ଲାରେ କରୁଥିଲେ ଚାକିରୀ

July 22, 2025
Latest News

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.