ଚଳିତ ବର୍ଷ ପୁରୀ ଗଜପତି ମହାରାଜା କଲେ ଏକ ନୂଆ ରେକର୍ଡ, ଛେରା ପହଁରା କରିବାରେ ପୁରିଲା ୫୦ ବର୍ଷ

Published: Jul 20, 2021, 2:45 pm IST

ପୁରୀ, ଚଳିତ ବର୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଶ୍ରୀଜିୟୁଙ୍କ ସେବା କରିବାରେ ୫୦ ବର୍ଷ ପୁରଣ କରିଛନ୍ତି। ସେ ୧୯୭୧ ମସିହାରୁ ଠାକୁରଙ୍କ ଏହି ସେବା କରି ଆସୁଛନ୍ତି।

କେବଳ ୧୯୭୬ ମସିହା ରଥଯାତ୍ରା ବେଳେ ସେ ପରୀକ୍ଷା ଦେବା ପାଇଁ ବିଦେଶରେ ଥିବାରୁ ଆସିପାରି ନ ଥିଲେ। ହେଲେ ପ୍ରତିବର୍ଷ ସେ ଏହି ବିରଳ ସେବାରେ ନିଜକୁ ନିୟୋଦିତ ରଖିଛନ୍ତି। ସୂଚନା ଅନୁସାରେ ତିନି ଶହ ବର୍ଷ ତଳେ ଜଣେ ଗଜପତି ୫୦ ବର୍ଷ ସେବା କରିଥିଲେ। ହେଲେ ଏ ନେଇ କୌଣସି ରେକର୍ଡ ନାହିଁ।

୬୮ ବର୍ଷୀୟ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ, ତୃତୀୟଙ୍କ ଦେହାନ୍ତ ପରେ ରାଜାଭିଷେକ ହୋଇଥିଲେ। ଗତ ବର୍ଷ ତାଙ୍କ ରାଜାଭିଷେକକୁ ମଧ୍ୟ ୫୦ ବର୍ଷ ପୁରଣ ହୋଇଛି। ଏହା ପୂର୍ବରୁ ପୁରୀରେ କୌଣସି ଗଜପତି ଏତେ ବର୍ଷ ଧରି ରାଜଗାଦିରେ ବସି ଥିବାର ମଧ୍ୟ ରେକର୍ଡ ନାହିଁ।

ଗଜପତି ଦିବ୍ୟସିଂହ ଦେବ ପାଠ ପଢୁଥିବା ବେଳେ ରାଜାଭିଷେକ ହୋଇଥିଲେ। ସେ ରାୟପୁର ରାଜକୁମାର କଲେଜରୁ ଆଇଏସସି ପାସ୍ କରିଥିଲେ। ଏହାପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ ସମ୍ମାନରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଲାଭ କରିଥିଲେ।

ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। କିଛି ମାସ ଧରି ସେ ଓକିଲାତି ମଧ୍ୟ କରୁ ଥିଲେ।ଏହି ପେଶାରେ ଥିଲେ ମଧ୍ୟ ସେ ରିତମତ ରଥଯାତ୍ରାକୁ ଆସି ପ୍ରଭୃଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ପରବର୍ତ୍ତି ସମୟରେ ଶ୍ରୀଜଗନ୍ନାଥଙ୍କ ଆକର୍ଷଣ ତାଙ୍କୁ ଅତିମାତ୍ରାରେ ଟାଣିଆଣିଲା। ଫଳରେ ସେ ଓକିଲାତି ପେଶା ଛାଡି ପୁରା ସମୟ ଶ୍ରୀଜଗନ୍ନାଥଙ୍କ ସେବା ନିଜକୁ ନିୟୋଜିତ କଲେ।

Related posts