ସାତ ଦେବାଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ଭଗବତୀ

Published: May 24, 2022, 2:29 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଅକ୍ଷୟ ତୃତୀୟାଠାରୁ ଆରମ୍ଭ ମା’ ଭଗବତୀଙ୍କ ଚନ୍ଦନ ଯାତ୍ରା ଗତକାଲି ଭଉଁରିରେ ଶେଷ ହୋଇଛି। ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ ପରି ଶକ୍ତି କ୍ଷେତ୍ର ବାଣପୁରରେ ମା’ଭଗବତୀଙ୍କ ଯାତ୍ରା ପରମ୍ପରା ମଧ୍ୟରୁ ଚନ୍ଦନ ଯାତ୍ରା ଅନନ୍ୟ। ଚନ୍ଦନ ଯାତ୍ରାର ଶେଷ ତିନିଦିନ ମା’ ସାଥିରେ ଚନ୍ଦ୍ରଶେଖରଦେବ,ଗୋପୀନାଥ ଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କୁ ସାଥିରେ ନେଇ ବାଣପୁର ନିକଟ ଗୋପାଳପୁର ଶାସନ ମାଜଣା ପୋଖରୀକୁ ବାଣ ରୋଷଣୀ, ଥାଟ ପଟୁଆରରେ ଯାତ୍ରା କଲାବେଳେ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ଵନୀ ସହ ଚାପକୁ ବିଜେ କରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର।

ଗୋପାଳପୁର ଶାସନ ବିଜେ ବାବା ବାଲୁଙ୍କେଶ୍ଵର ଦେବ, ବାବା କପିଳେଶ୍ଵର ଦେବ, ବାବା ନୀଳକଣ୍ଠେଶ୍ଵର ଦେବ, ମା’କନକ ଦୁର୍ଗା ଓ ଶ୍ରୀଗୋପୀନାଥ ଦେବଙ୍କ ସ୍ଵାଗତପରେ ମା’ ଭଗବତୀ ମାଜଣା ଚକଡାରେ ବିଜେ କଲା ପରେ ଶୀତଳ ମଣୋହୀ ଲାଗି ହୋଇଥିଲା।

ଆଳତୀ ବନ୍ଦାପନା ପରେ ମା’ ଚାପରେ ବିଜେ କରିଥିଲେ। ଏକୋଇଶି ଥର ଜଳକ୍ରୀଡାରେ ମାଜଣା ପୋଖରୀ ପରିକ୍ରମା କଲାପରେ ମା’ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ। ସେଠାରେ ପନ୍ତିଭୋଗ ଲାଗି ହେଲା ପରେ ମା’ ଜଳ ସ୍ପର୍ଶ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ଅପୂର୍ବ ଚାପ ଯାତ୍ରା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ଏହି ଉପଲକ୍ଷେ ଗୋପାଳପୁର ଶାସନରେ ରାତିସାରା ଭଜନ ସମାରୋହ, ରାମ ନାଟକ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଚନ୍ଦନଯାତ୍ରାକୁ ଆହୁରି ସରସ ସୁନ୍ଦର କରିଥିଲା। ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଓ ଗୋପାଳପୁର ଶାସନ ଗ୍ରାମବାସୀ ମିଳିତ ଭାବରେ ଏହାକୁ ପରିଚାଳନା କରିଥିଲେ।

Related posts