ଏ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ….

Published: Jun 20, 2022, 7:16 am IST

ଉପେନ୍ଦ୍ର ବଳିୟାରସିଂହ

ସହର ଭିତରେ ଗଗନଚୁମ୍ବୀ ଅଟ୍ଟାଳିକାଟି ତିଆରି ହୋଇଗଲା। ଅନେକ ପ୍ରକାରର ସୁନ୍ଦର ପ୍ରସାଧନ ସାମଗ୍ରୀ ଏବଂ ମନୋରଞ୍ଜନର ବିବିଧ ଉପକରଣ ଠୁଳ କରାଗଲା। ନବନିର୍ମିତ ଅଟ୍ଟାଳିକାର ବିଶାଳତା ତଥା କାରୂକାର୍ଯ୍ୟର ଚର୍ଚ୍ଚା ସମଗ୍ର ସହରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଗଲା।

ସେତେବେଳେ ଅଟ୍ଟାଳିକାର କାନ୍ଥରେ ଥିବା ଇଟାଟି ଅଟ୍ଟାଳିକାର ପୋତା ତଳେ ଥିବା ପଥର ଖଣ୍ଡକୁ ପଚାରିଲା, “ଭାଇ ତୁମର ମନ ସେହି ମାଟି ତଳର ଅନ୍ଧକାର ଭିତରେ ରହି ବ୍ୟସ୍ତ ହୋଇ ପଡୁନାହିଁ। ସୂର୍ଯ୍ୟଙ୍କର ଆଲୋକ ଏବଂ ସାଂସାରିକ ସୌନ୍ଦର୍ଯ୍ୟକୁ ଦେଖିବାକୁ କ’ଣ ତୁମର ଇଚ୍ଛା ହେଉନାହିଁ? ତୁମେ ତୁମର ଜୀବନକୁ ଧିକ୍କାର କରି କହୁନାହଁ, ମୁଁ କାହିଁକି ପୋତା ତଳର ପଥର ହେଲି?

ପୋତା ତଳର ପଥର କହିଲା, “ନାଁ ଭଉଣୀ ନାଁ! ତୁମର ଧାରଣା ସର୍ବଦା ଭ୍ରାନ୍ତ ଓ ଅନୁଚିତ୍ ଅଟେ। ମତେ ଏହି ଜୀବନର ସଂପୂର୍ଣ୍ଣ ସନ୍ତୋଷ ମିଳିଛି। ମୋତେ ବଡ ପ୍ରସନ୍ନତା ହେଉଛି ଯେ, ମୁଁ ନିଜର ଅସ୍ଥିତ୍ଵକୁ ଲୋକାଲୋଚନ ଦୂରରେ ରଖି ଏହି ଭବ୍ୟ ପ୍ରସାଦର ନିର୍ମାଣରେ ସହଯୋଗ ଦେଇଛି। ଅନ୍ୟ ପାଇଁ ବଞ୍ଚିବା ହେଉଛି, ଜୀବନର ସାର୍ଥକତା। ନିଜର ଅସ୍ତିତ୍ଵକୁ ଲୋପ କରି ଅନ୍ୟର ଅସ୍ତିତ୍ଵକୁ ସୁରକ୍ଷିତ ରଖିବା ତ ହେଉଛି ଏହି ସୃଷ୍ଟିର ଗୌରବମୟ ବିଧାନ ଭଉଣୀ।

ଇଟା କହିଲା, “ଏ କେମିତି ଜୀବନ ଯେ, ଲୋକମାନେ ତୁମର ଏହି ବଳିଦାନ ଓ ତ୍ୟାଗକୁ ନିଜର ଆଖିରେ ଦେଖିପାରୁନାହାନ୍ତି। ଅତି କମରେ ତ ତୁମର ଏହି ବଳିଦାନର ଚର୍ଚ୍ଚା ହୁଅନ୍ତା। ପରନ୍ତୁ ଲୋକମାନେ ଅଟ୍ଟାଳିକାର ଚର୍ଚ୍ଚା କରୁଛନ୍ତି, ତୁମର ନୁହେଁ।

ପଥର କହିଲା,” ଦେଖ ଭଉଣୀ! ମୋତେ ଲୋକ ଚର୍ଚ୍ଚା କିମ୍ବା ଜନତା ଦ୍ଵାରା କରାଯାଉଥିବା ପ୍ରଶଂସାରେ କୌଣସି ରୁଚି ନାହିଁ, ତୁମକୁ କ’ଣ ଏତିକି ଜଣାନାହିଁ? ତୁମକୁ କ’ଣ ଜଣା ନାହିଁ, ତୁମେ ଯେଉଁ ଅଟ୍ଟାଳିକା କଥା କହୁଛ, ସେହି ଅଟ୍ଟାଳିକାକୁ ମୁଁ ମୋର ମସ୍ତକରେ ଧାରଣ କରିଛି।

ମଞ୍ଜିଟି ନିଜକୁ ସ୍ଵତଃ ଧ୍ଵଂସ କରି ବୃକ୍ଷ ତିଆରି କରେ। ମୋର ତ ଅସ୍ତିତ୍ଵ ଅଛି, ପରନ୍ତୁ ମଞ୍ଜିଟିର ଦଶା ଦେଖ, ସେ ପୂର୍ଣ୍ଣ ରୂପେଣ ସମାପ୍ତ ହୋଇଯାଏ। କେତେ ମହାନ ତ୍ୟାଗ ତାହାର? ସେ ଯଦି ପୃଥିବୀ ଉପରେ ନ ପଡନ୍ତା, ନିଜକୁ ସମାପ୍ତ ନ କରନ୍ତା, ତାହେଲେ ଏଡେ ବଡ ବଡ ବୃକ୍ଷ ଫୁଲ ଫଳ କେଉଁଠୁ ଆସନ୍ତା ଭଉଣୀ। ପ୍ରତ୍ୟେକ ମହାନ କାର୍ଯ୍ୟ ପାଇଁ କାହାକୁ ହେଲେ ମୋ ପରି ପୋତା ତଳର ପଥର ହେବାକୁ ହେବ। ହେବା ବି ଉଚିତ୍। ଏ ହେଉଛି ଜୀବନର ପରମ ଲାଭ। ଏହା ହେଉଛି ସୃଷ୍ଟିର ପ୍ରକ୍ରିୟା। ଏ ହେଉଛି ଏମିତି ଏକ ଦୃଷ୍ଟାନ୍ତ, ଯାହା ଦ୍ଵାରା ଆମର ପୂର୍ବଜ ଭକ୍ତ ସାଧୁସନ୍ଥମାନେ ନିଜର ଜୀବନକୁ ତିଳତିଳ କରି ଧ୍ଵଂସ କରି ଅନ୍ୟର ଉପକାର କରନ୍ତି।

ତେଣୁ ଭୀମା ଭୋଇ ବାସ୍ତବରେ କହିଥିଲେ….

“ପ୍ରାଣୀଙ୍କ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ

ଏ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ।”

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

Related posts