ଶୟନରୁ ଉଠିଲେ ମା’ ଭଗବତୀ: ଶହସ୍ରାକୁମ୍ଭାଭିଷେକ ପରେ ଶାରଦୀୟ ପର୍ବ ଆରମ୍ଭ

Published: Sep 17, 2022, 11:26 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମୁଳାଷ୍ଟମୀ ଶହସ୍ର କୁମ୍ଭବରଣ ଦେବୀ ଉତ୍ଥାପନ ଅଷ୍ଟମୀର ମାହେନ୍ଦ୍ର ବେଳାରେ ପର୍ବପୂଜକ ଓ ମନ୍ଦିର ପୁରୋହିତଙ୍କ ମଙ୍ଗଳାଚରଣ ମନ୍ତ୍ର ପଠନ, ନିଯୋଗୀ ସେବକଙ୍କ ଜୟ ଜୟକାର ଧ୍ଵନୀ, “ଉଠମା, ମଙ୍ଗଳମୟୀ, ଜଗତ ଜନନୀ, ସଂସାରର ମଙ୍ଗଳ ପାଇଁ ନିଦ୍ରା ପରିତ୍ୟାଗ କରିବା ହେଉ ମା’ ଭଗବତୀ, ଡାକ ସହିତ ଶୁଭଶଙ୍ଖ, ଘଣ୍ଟ କାହାଳୀ, ମଙ୍ଗଳବାଦ୍ୟର ନିନାଦରେ ମା’ ଶୟନରୁ ଉଠିଛନ୍ତି।

ଶାରଦୀୟ ପର୍ବର ପ୍ରଥମ ଦିବସରେ ଉଛୁଳି ପଡୁଛି ମନ୍ଦିର ବେଢା। ପର୍ବପୂଜକ ମନ୍ଦିର ପୁରୋହିତ ପ୍ରଥମେ ମା’ଙ୍କୁ କଦଳୀ ବୃକ୍ଷ, ଆମ୍ର ତୋରଣ ଆଛାଦିତ ସ୍ନାନ ମଣ୍ଡପରେ ବିଜେ କରାଇବା ପରେ ବରୁଣ ଆବାହନ ସଂସ୍ଥାପନ କରି ଚନ୍ଦନ, ଅଗରୁ, କର୍ପୁର, ଅତର ମିଶ୍ରିତ ସୁବାଷିତ ଶହସ୍ର କୁମ୍ଭ ଜଳରେ ସ୍ନାନ କରାଇ ରାଜା ଙ୍କ ଦ୍ଵାରା ପ୍ରଦତ୍ତ ପାଟବସ୍ତ୍ର ଓ ପରିଛା ସାମନ୍ତଙ୍କ ଆଭୁଷଣ ପରିଧାନ ପରେ ଷୋଡଶ ଉପଚାରରେ ପୂଜା କରି ଆଳତି ବନ୍ଦାପନା ସାରି ସିଂହାସନରେ ବିଜେ କରାଇ ନୈବେଦ୍ୟ ଅର୍ପଣ କରିଥିଲେ। ଏଣେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀଙ୍କୁ କାଠି ନାହାକ ରଙ୍ଗବେରଙ୍ଗର ପାଟବସ୍ତ୍ରରେ ସୁସଜ୍ଜିତ କରି ବନଦୁର୍ଗା ବେଶରେ ସଜେଇବା ପରେ ମା’ ଙ୍କୁ ସେବକମାନେ ଘଣ୍ଟା କାହାଳୀ ମଙ୍ଗଳ ବାଦ୍ୟର ତାଳେ ତାଳେ ଅଗଣିତ ଭକ୍ତଙ୍କ ଗହଣରେ ନୃତ୍ୟ କରି କରି ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ନିଜ ମନ୍ଦିର ବେଢ଼ା ଭିତର ପର୍ବଗୃହକୁ ବିଜେ କରାଇଥିଲେ। ପରେ ଭଉଣୀ କନକ ଦୁର୍ଗାଙ୍କ ସହିତ ବଳିଜେନା ସେବକ ପର୍ବଗୃହକୁ ବିଜେ କଲା ପରେ ମଧ୍ୟରାତ୍ରରେ ପର୍ବ ପୂଜା ଆରମ୍ଭ ହେଇଥିଲା।

ରାଜା ସାହେବ ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ, ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସ୍ଥାନୀୟ ଥାନାଧିକାରୀ ଜୟପ୍ରକାଶ ପରିଡ଼ା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, ପର୍ବ ପୁରୋହିତ ବାମନ ଚରଣ ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts