ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ, ଡ୍ରେନେଜ ବ୍ୟବସ୍ଥାକୁ ଦେଲେ ଗୁରୁତ୍ୱ

Published: Sep 24, 2022, 6:05 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ଜିଲ୍ଲପାଳ।

ଏହାପରେ ଜିଲ୍ଲାପାଳ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗକୁ ଦଶହରା ପର୍ବ ଥିବାବେଳେ କିପରି ତାହା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।  ତତସହିତ ପାର୍ବଣ ଋତୁ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଏତଦବ୍ୟତୀତ ବାଣପୁର ଏନଏସିରେ ଡ୍ରେନେଜ ନିର୍ମାଣ ବିଷୟରେ ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ, ସେଥି ନିମନ୍ତେ ଜିଲ୍ଲାପାଳ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇସାରିଥିବା ପ୍ରକାଶ କରିଛନ୍ତି।

Related posts