ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, ପ୍ରତି ମାଘ ପୂର୍ଣ୍ଣିମାରେ ହୋଇଥାଏ ଏହି ବେଶ

Published: Feb 5, 2023, 7:58 am IST

ପୁରୀ,  ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ସଜ୍ଜିତ ହେବେ। ମଧ୍ୟାହ୍ନ ଧୂପ ଓ ସର୍ବାଙ୍ଗ ନୀତି ପରେ ଏହି ବେଶ ଅନୁଷ୍ଠିତ ହୁଏ। ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ଏହାପରେ କିଛି ବର୍ଷ ପାଇଁ ଏ ବେଶ ହୋଇନଥିଲା। ଖ୍ରୀଷ୍ଟାବ୍ଦ ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରାଇଥିଲେ। ମାଘ ପୂର୍ଣ୍ଣମୀ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସରି ମଇଲମ ହେବା ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ ହୁଏ।

ଭିତରଛୁ, ତଳିଛୁ, ପୁଷ୍ପାଳକ, ନିଯୋଗୀ ଖୁଣ୍ଟିଆ ଓ ମେକାପମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ଠାକୁରମାନେ ଏହି ବେଶରେ ଚୁଳ, କିରୀଟ, କର୍ଣ୍ଣକୁଣ୍ଡଳ, ସୂର୍ଯ୍ୟଚନ୍ଦ୍ର, ଅଣ୍ଟାପଟି, ହାତ, ଦାରୁବନ୍ଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ଓ ମୂଷଳ ପ୍ରଭୃତି ଲାଗି ହୁଅନ୍ତି। ବିଶ୍ୱାସ କରାଯାଏ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର ସହିତ ଗଜେନ୍ଦ୍ର ସ୍ତୁତି ପାଠ କଲେ ଅପାର ପୁଣ୍ୟ ଲାଭ ହୁଏ।

Related posts