
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଛି।
୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାର ଆଜି ପଞ୍ଚମ ଦିବସ। ବଣପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକର ଅବିକଳ ରୂପନେଇ ମେଳା ପରିସରରେ ପ୍ରାଚୀନ ଜନଜାତି ଦୁନିଆର ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ଘରର ମଡେଲ ପ୍ରଦର୍ଶିତ ହୋଇଛି। ଏଥିରେ ପରମ୍ପରା ସହିତ ପ୍ରଗତିର ଝଲକ ଦେଖିବାକୁ ମିଳୁଛି।
ଏ ମଧ୍ୟରେ ନୂଆପଡ଼ା ଜିଲ୍ଲା ଚୁକୁଟିଆ ଭୁଂଜିଆଙ୍କ ଘର ପାରମ୍ପରିକ ସାଜସଜ୍ଜାରେ ବିକାଶର ବାର୍ତ୍ତା ବଖାଣୁଛି। ଏମାନଙ୍କ ଲାଲ ବଙ୍ଗଳା କେବଳ ସଂସ୍କୃତି ଦୃଷ୍ଟିରୁ ମହାନ୍ ନୁହେଁ ବରଂ ଏମାନଙ୍କ ରକ୍ଷଣଶୀଳତାକୁ ବୁଝାଉଛି। ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳସ୍ଥ କୁଟିଆ କନ୍ଧ ଘର ଓ ବେଲଘରଙ୍କ କୁଟିଆ କନ୍ଧ ଘର ଭିତରେ ନିର୍ମାଣ ଗତ ସାମଞ୍ଜସ୍ୟ ଥିଲେ ମଧ୍ୟ ସୌନ୍ଦର୍ଯ୍ୟାନୁଭବରେ ବେଶ୍ ପାର୍ଥକ୍ୟ ଅଞ୍ଚଳ ଭେଦରେ ସାଂସ୍କୃତିକ ବିବିଧତାର ସୂଚନା ଦେଉଛି।
ସେହିପରି ଗଜପତି ଜିଲ୍ଲା ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ସଉରା ଓ ଲାଞ୍ଜିଆ ସଉରା ଘର ନିର୍ମାଣଶୈଳୀରେ ସମାନତା ଥିଲେ ମଧ୍ୟ ଇଡ଼ିତାଲ ଚିତ୍ରର ବିବିଧ ବୈଚିତ୍ର୍ୟ ସ୍ୱତନ୍ତ୍ର ଅନୁଭବ ଆଣିଦେଉଛି। ଡଙ୍ଗରିଆ କନ୍ଧମାନଙ୍କର ନିଜସ୍ୱ ଶୈଳୀ ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗିଥିବାବେଳେ ପାହାଡ଼ି ଖଡ଼ିଆମାନଙ୍କର ଗୃହ ନିର୍ମାଣ ବେଶ୍ ସୁନ୍ଦର ହୋଇଛି।
ସେହିପରି ବଣ୍ଡାମାନଙ୍କର ମଧ୍ୟ ଘର ପରମ୍ପରା ସହିତ ପ୍ରଗତି ସୂଚନା ଦେଉଛି। ସହରୀ ମଣିଷଙ୍କ ପାଇଁ ଏହା ସଂସ୍କୃତିର ସନ୍ଧାନ ହୋଇଥିବାବେଳେ ଜଣେ ଗବେଷକ ପାଇଁ ଏହା କିଛିଟା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ। ଆଦିବାସୀ ମେଳାରେ ପ୍ରଦର୍ଶିତ ପ୍ରାଚୀନ ଜନଜାତିଙ୍କ ଗ୍ରାମ ଦର୍ଶକମାନଙ୍କ ନିମନ୍ତେ ବେଶ୍ ଆକର୍ଷଣୀୟ ହୋଇଛି।
ଗତକାଲି ସନ୍ଧ୍ୟାରେ ଜନଜାତିଙ୍କ ଦ୍ୱାରା ପରିବେଷିତ କୋୟା ନୃତ୍ୟ, ଗଦବା ନୃତ୍ୟ, ଭୂମିଆ ନୃତ୍ୟ, କିନ୍ଦରୀ ନୃତ୍ୟ, ଲାଞ୍ଜିଆ ସଉରା ନୃତ୍ୟ, ଢେମ୍ସା ନୃତ୍ୟ ଓ ଚାଙ୍ଗୁ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଛି।
ଆଦିବାସୀ ମେଳା ପ୍ରତ୍ୟହ ୨.୩୦ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏହି ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।