ଦୋଳ ପୁନେଇରେ ବାପଘର ଦୁଆରେ ତୋରାଣୀ ପିଇଲେ ମା’ ଭଗବତୀ

Published: Mar 7, 2023, 6:28 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ମହା ଆଡ଼ମ୍ବରରେ ପାଳିତ ହେଉଥିବାବେଳେ ଭଗବତୀ ପୀଠ ବାଣପୁରରେ ନିଆରା ଢଙ୍ଗରେ ପାଳିତ ହୁଏ ଦୋଳପର୍ବ।ଶ୍ରୀକ୍ଷେତ୍ର ଓ ଗଡ଼ଜାତ ମାନଙ୍କରେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବାବେଳେ ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଫାଲଗୁନ ଶୁକ୍ଳ ଏକାଦଶୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୬ ଦିନ ଧରି ବାଣପୁରର ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇପୁର ପରି ବ୍ରାହ୍ମଣ ଶାସନ, କଠିନାହାକ ସେବାୟତ ଓ ଶେଷରେ ବାପଘର ଭାବେ ପରିଚିତ ପରିଛା ସାଆନ୍ତଙ୍କ ଦୁଆରେ ଉଭାହୋଇ ଶୁଧପୁତ ଭାବରେ ପ୍ରସ୍ତୁତ ଶଙ୍କୁଡ଼ି, ନିଶଙ୍କୁଡି ନୈବେଦ୍ୟ ଲାଗି ହୋଇ ପ୍ରାଚୀନ କାଳରୁ ପ୍ରଚଳିତ ବାପ ଘର ସ୍ନେହସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତୀକ ତୋରାଣି ପିଇ ଭାରଥୁର ଧରି ମନ୍ଦିର ପ୍ରତ୍ୟାଗମନ କରିବାର ଏହି ଅନନ୍ୟ ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ।

ଏଥିପାଇଁ ଦୋଳପୂର୍ଣ୍ଣମୀରେ ବାପ ଘରୁ ଝିଅ ଘରକୁ ଶାଢୀ, ଚୁଡ଼ି, ଅଳତା, ସିନ୍ଦୁର, ଡାଲା ବାଉଁଶିଆ, ମୁଆଁ ଉଖୁଡ଼ା, ଚଣାଖଜା ପିଠା, ଭାର ଯିବାର ପରମ୍ପରା ଅନୁସାରେ ପ୍ରଚଳିତ କିମ୍ବଦନ୍ତୀକୁ ବିଶ୍ୱାସ କରି ମା’ ଭଗବତୀଙ୍କୁ ମଧ୍ୟ ନିଜର କନ୍ୟା ଭାବରେ ଗ୍ରହଣ କରି ପରିଛା ସାଆନ୍ତ ମା’ଙ୍କୁ ସବୁ ପ୍ରଦାନ କରିଥାନ୍ତି। ବରଷକୁ ଥରେ ଥାଟ ପଟୁଆର ବାଜାରୋଷଣୀରେ ନିଜ ଦୁଆରେ ମା’ଙ୍କ ଉପସ୍ଥିତିକୁ ନିଜର କନ୍ୟା ଭାବରେ ଭାବବିହ୍ୱଳର ସହିତ ସାଦରେ ଗ୍ରହଣ କରି ଶଙ୍କୁଡିରେ ମା’ଙ୍କ ପାଇଁ ପ୍ରିୟ ଖେଚଡ଼ି, ମାଛମହୁର, ମାଛ ଭଜା, ବଳି ପୋଡା, ଖିରି କାକରା, ମଣ୍ଡା, ଏଣ୍ଡୁରି ପ୍ରସ୍ତୁତ କରିବା ସହିତ ନିଶଙ୍କୁଡିରେ ଖଇ ମୁଆଁ, ଚଣା, ଫେଣିଶାକର, ଫଳ ମୂଳ ଇତ୍ୟାଦି ବଢାଯାଇ ଭୋଗ ଲାଗି ହୁଏ।

ମା’ଙ୍କ ସହିତ ଚନ୍ଦ୍ରଶେଖରଦେବ, ଗୋପୀନାଥଦେବ, ରଙ୍କ ନାଥ ଦେବ, ରଘୁନାଥ ଦେବ, ଏବଂ ବାଲୁଗାଁର ଆରାଧ୍ୟ ଠାକୁର ଉମାମହେଶ୍ଵର ଦେବ ମିଳିତ ଭାବରେ ଦୋଳପର୍ବରେ ସାମିଲ ହୋଇ ପରିଛାଙ୍କ ଦୁଆରେ ଭୋଗ ଲାଗି ପରେ ବିଷର ପାଟଣାଠାରେ ଅଗିରା ପୋଡ଼ିରେ ଅଂଶଗ୍ରହଣ କରି ମନ୍ଦିରକୁ ଫେରିବା ପରେ ଦୋଳିରେ ବିଜେ କରି ଦୋଳି ଖେଳନ୍ତି।

ପରମ୍ପରା ଅନୁସାରେ ମନ୍ଦିରଖଡ଼ି ରତ୍ନ ପାଞ୍ଜିଆ ମା’ଙ୍କ ଦୋଳମଣ୍ଡପରେ ନୂତନ ବର୍ଷର ପାଞ୍ଜି ପଠନ କରିବା ପରେ ଦୋଳପର୍ବ ସମାପନ ହୁଏ। ଚଳିତ ବର୍ଷମା’ଙ୍କ ଏହି ଯାତ୍ରାରେ ଅବିର ଖେଳ ସହିତ ମା’ଙ୍କ ପ୍ରସାଦ ପାଇବା ପାଇଁ ପରିଛାଙ୍କ ଦୁଆରେ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Related posts