କରୋନା ଭୟ: ଆଜି ରାମନବମୀରେ ସାରା ରାଜ୍ୟ ଖାଁ ଖାଁ, ଭୁବନେଶ୍ବର ରାମ ମନ୍ଦିରରେ ଝୁଲିଲା ତାଲା

Published: Apr 2, 2020, 5:29 pm IST

ଭୁବନେଶ୍ବର, ଆଜି ରାମନବମୀ। ବେଶ୍ ଧୂମଧାମରେ ସାରା ରାଜ୍ୟରେ ପ୍ରଭୃ ଶ୍ରୀରାମଙ୍କ ଜନ୍ମଦିନ ପାଳନ ହୋଇଥାଆନ୍ତା। ହେଲେ ସବୁ ସାରିଦେଲା କରୋନା ଭାଇରସ। ଦୀର୍ଘ ଦଶ ଦିନ ଧରି ସାରା ଦେଶରେ ଚାଲିଛି ଲକଡାଉନ ଅବସ୍ଥା। କେହି ଘରୁ ବାହାରୁ ନାହାଁନ୍ତି। ଏପରି ପରିସ୍ଥିତିରେ ରାମ ଜନ୍ମକୁ କାଣ୍ଟଛାଟ କରାଯାଇଛି। ଯେଉଁ ଯେଉଁ ସ୍ଥାନରେ ରାମନବମୀ ବେଶ୍ ଧୂମଧାମରେ ପାଳନ ହେଉଥିଲା, ସେଠାରେ ବିନା ଭକ୍ତରେ କେବଳ ପୂଜା ବିଧି କରାଯାଇଛି।

ସେହିପରି ଭୁବନେଶ୍ବରର ପ୍ରସିଦ୍ଧ ରାମମନ୍ଦିରର ମଧ୍ୟ ଅନୁରୂପ ଅବସ୍ଥା। ପ୍ରତିବର୍ଷ ରାମନବମୀକୁ ସେଠାରେ ଭକ୍ତମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ କଷ୍ଟକର ହୋଇପଡେ। ହେଲେ ଆଜି ରାମମନ୍ଦିର ବାହାର ପଟୁ ତାଲା ପଡିଛି। ରାମମନ୍ଦିର ପୂଜାରୀଙ୍କ ଅନୁସାରେ ସରକାରଙ୍କ ଲକଡାଉନକୁ ଏଠାରେ କଡାକଡି ପାଳନ କରାଯାଇଛି। ଭକ୍ତମାନେ ଯେପରେ ନ ଆସିବେ ସେଥିପାଇଁ ମୁଖ୍ୟ ଦ୍ବାରରେ ତାଲା ଲଗାଇଦିଆଯାଇଛି। ହେଲେ ଭିତରେ ଖୁବ କମ ପୂଜାରୀଙ୍କୁ ନେଇ ରାମ ନବମୀ ପୂଜା କରାଯାଉଛି। ତେବେ ଲକଡାଉନ ଉଠିବା ପରେ ପ୍ରଭୃଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରାଯିବ ବୋଲି ମନ୍ଦିର କର୍ତ୍ତୁପକ୍ଷ ନିଷ୍ପତି କରିଛନ୍ତି।

Related posts