ଯୋଧପୁର : ପଶ୍ଚିମ ରାଜସ୍ଥାନରେ ଅବସ୍ଥିତ ଯୋଧପୁର ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଦୁଷ୍କର୍ମର ଶିକାର ହୋଇଥିବା 11 ବର୍ଷୀୟା ବାଳିକା ଏକପୁତ୍ର ସନ୍ତାନକୁ ଜନ୍ମଦେଇଛି । ଲୋକଲଜ୍ୟାକୁ ଭୟ କରି ଏହି ଘଟଣାକୁ ଚପାଇ ରଖିଥିବା ପରିବାର ଏବେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଦୁଷ୍କର୍ମର ଶିକାର ହୋଇଥିବା ବାଳିକା ଜଣକ ମାତ୍ର 11ବର୍ଷର ଓ ସେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ପ୍ରାୟ 9 ମାସ ପୂର୍ବେ ନାବାଳିକାକୁ ପଡୋଶୀର ଜଣେ ମୋବାଇଲ୍ ଦେଖାଇବା ବାହାନାରେ ତାକୁ ଘରକୁ ନେଇଯାଇଥିଲେ । ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ଭୟରେ ପରିବାର ଲୋକଙ୍କୁ ଏନେଇ କିଛି କହି ନ ଥିଲେ। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ପରିବାର ଲୋକଙ୍କ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହେବା ସହ ଲୋକଲଜ୍ୟା ଭୟରେ ଚୁପ୍ ରହିଥିଲେ । ହାତରୁ ସମୟ ଚାଲିଯାଇଥିବାରୁ ନାବାଳିକାର ଗର୍ଭପାତ ମଧ୍ୟ କରାଇ ହୋଇନଥିଲା ।
ତେବେ ସୋମବାର ଦିନ ଯୋଧପୁରର ଏକ ହସ୍ପିଟାଲରେ ନାବାଳିକା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହାପରେ ନାବାଳିକାଙ୍କ ପରିବାର ଲୋକେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ଦାଏର କରିଛନ୍ତି । ଭୋପାଲଗଢ ଥାନା ପୋଲିସ୍ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପୋସ୍କୋ ଆକ୍ଟ ଅନ୍ତର୍ଗତ ବିଭିନ୍ନ ଧାରାରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭକରିଛି । ତେବେ ନାବାଳିକା ଓ ତାଙ୍କ ଶିଶୁ ପୁତ୍ର ସୁସ୍ଥ ରହିଛନ୍ତି । (ଏଜେନ୍ସି)