ଗୋଟିଏ ଦଳୀୟ ବିଜ୍ଞାପନ ଉପରେ କିଛି ବିଚାରକୁ ଆପଣମାନଙ୍କ ସହ ସହଭାଗ କରିବାକୁ ଇଚ୍ଛାପ୍ରକାଶ କରୁଛି। ଆଶା ଏହି ନିର୍ବାଚନ ସମୟରେ ଯେତେବେଳେ ସବୁଦଳ ନିଜନିଜର କ୍ଷେତ୍ରଫଳକୁ ସଜାଡିନେବାରେ ବ୍ୟସ୍ତ ଅଛନ୍ତି ଠିକ୍ ସେତେବେଳେ ଆମକୁ ନିଜନିଜର ଖୁଆଡମନସ୍କତାରୁ ଟିକିଏ ଉପରକୁ ଯାଇ ଏହି ସମସ୍ତ ଘଟଣାକ୍ରମକୁ ନିରେଖି ଦେଖିବାର ଅଛି। ସଂଭବତଃ ଯେଉଁମାନଙ୍କର ଆଖି ଆଗରେ ଗାଢରଂଗର ଚଷମାମାନେ ଚକାପକେଇ ବସିଯାଇଛନ୍ତି ସେମାନଙ୍କୁ ଏହି ବିଚାରର ଅକୀର୍ତ୍ତନ ସେତେ ରୋଚକ ହେବନାହିଁ। ଆଜି ସକାଳୁ ଏକ ସଂବାଦପତ୍ରରେ ଏକ ପ୍ରମୁଖ ରାଜନୈତିକ ଦଳର ବିଜ୍ଞାପନ ଦେଖିବାକୁ ମିଳିଲା। ସେହି ବିଜ୍ଞାପନରେ ଜଣେ ପୋଷାକପ୍ରିୟ ଓ ନିଜକୁ ପ୍ରଧାନ ସେବକ ଆଉ ଏବେ ଚୌକିଦାର ବୋଲି କହୁଥିବା ନେତା-ବିଶେଷଙ୍କ ଛବି ରହିଛି।
ସେ ଆଜି ଏଠାକୁ ଆସି ତାଙ୍କର ନିର୍ବାଚନ ପ୍ରଚାର କରିବେ। ଆଗରୁ ଭାରତର ଯେତେ ଯେତେ ପ୍ରଧାନମନ୍ତ୍ରୀ କୌଣସି ସ୍ଥାନକୁ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି ସବୁବେଳେ ସେମାନେ ନିଜସହିତ ନିଜର ସମସ୍ତ ପଦମର୍ଯ୍ୟଦାର ଆଭିଜାତ୍ୟ ସହ ନିଜନିଜର ଦଳ ସପକ୍ଷରେ ଭୋଟଭିକ୍ଷା କରିଛନ୍ତି ମାତ୍ର ଯେହେତୁ ଉପସ୍ଥିତ ଭୋଟଭିକ୍ଷାକାରୀ ଜଣକ ନିଜକୁ ପ୍ରଧାନସେବକ ଓ ଏବେ ଚୌକିଦାର ବା ଆଉ କ’ଣ କିଛି କହିପାରନ୍ତି ସେତେବେଳେ ସେ ସ୍ୱଇଚ୍ଛାରେ ନିଜର ଦଳୀୟ ପ୍ରତୀକଟିକୁ ବେଶ୍ ବଡ କରି ନିଜ ଛାତିରେ ଲଗାଇ ଆପଣଙ୍କ ସାମ୍ନାକୁ ଆସିବେ। ଆଉ ତାହାସହିତ ନିଜର ଦଳଗତ ସଂକୀର୍ଣ୍ଣତାରୁ ଉପରକୁ ଉଠିପାରୁନାହାଁନ୍ତି ଏବଂ ଏହାହିଁ ଯଥାର୍ଥ ବୋଲି ରାଜନୈତିକ ବିଚାରର କାରୁଣ୍ୟଟିଏ ପରବର୍ତ୍ତି କାଳ ପାଇଁ ଆମମୁଣ୍ଡରେ ପୋତିଦେଇଯିବାକୁ ସକ୍ଷମ ହେବେ।ଆଉ ସେଇଠୁ ସୃଷ୍ଟି ହୋଇଯାଏ ଗଣତନ୍ତ୍ରର ଯାହା ଅସଲ ସୌନ୍ଦର୍ଯ୍ୟ ସେହି ସାମୂହିକତାକୁ ଅସ୍ବୀକାର କରି ବ୍ୟକ୍ତିବାଦର ତଥା ଗଣ ସ୍ଥାନରେ ଜନକୁ ପ୍ରତିଷ୍ଠା କରିବାର ସୁଚତୁର କୌଶଳ। ସେହି ଦଳୀୟ ବିଜ୍ଞାପନରେ ଠିକ୍ ଉପରେ ଲେଖା ହୋଇଛି,”ସେ(ତାଙ୍କର ସାଙ୍ଗିଆ)ଅଛନ୍ତି ତ ସବୁ ସମ୍ଭବ”। ତାହାପରେ ତାଙ୍କର ସହାସ୍ୟ ଫଟୋ। ଆଉତଳକୁ ଅଛି “ଯାହାଙ୍କ ହାତରେ ଦେଶର ସୀମା ଓ ଭବିଷ୍ୟତ ସୁରକ୍ଷିତ”। ପୁଣି ତାହା ତଳକୁ ଅଛି,”ଦେଶର ସୁରକ୍ଷା ପାଇଁ ସମର୍ପିତ”।