କେଦାର ମିଶ୍ର
ଏ ଦେଶର ନିର୍ବାଚନୀ ପ୍ରକ୍ରିୟାକୁ ସବୁଦିନ ପାଇଁ କଳୁଷିତ କରି ରଖିବାରେ ନରେନ୍ଦ୍ର ମୋଦୀ ସରକାରଙ୍କ କୁତ୍ସିତ ଯୋଗଦାନ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ସବୁଦିନ ଲାଗି ପଢାଯିବ। ରାଜନୈତିକ ଦଳ ଗୁଡିକ କେଉଁ ସୂତ୍ରରୁ ନିଜର ଅର୍ଥ ସଂଗ୍ରହ କରୁଛନ୍ତି, ତାହା ଜାଣିବାର କୌଣସି ଉପାୟ ଏବେ ଆଉ ସାଧାରଣ ନାଗରିକର ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଉର୍ବର ମସ୍ତିଷ୍କରୁ ବାହାରିଥିବା “ଇଲେକ୍ଟୋରାଲ ବଣ୍ଡ” ଯୋଜନାରେ ଏବେ କିଏ କେଉଁ ରାଜନୈତିକ ଦଳକୁ ଚାନ୍ଦା ଦେଉଛି ତାହା ଜାଣିବାର ଉପାୟ ଏବେ ଆଉ ନାହିଁ। ଅନ୍ୟ କୌଣସି ସରକାର ହୋଇଥିଲେ ଏହାକୁ ନେଇ ସାରା ଦେଶରେ ପ୍ରଚୁର ପ୍ରତିବାଦ ହୋଇଥାନ୍ତା। ହେଲେ ମୋଦୀ ସରକାରକୁ ବିରୋଧ କରିବା ଯେହେତୁ ଅଘୋଷିତ ଦେଶଦ୍ରୋହ ଭାବରେ ପରିଗଣିତ, ଏଠି କେହି ଆଉ ପ୍ରତିବାଦ କରି ନାହାନ୍ତି। ଏବେ ଠିକ ନିର୍ବାଚନ ସମୟରେ ନିର୍ବାଚନ କମିଶନ ଓ ସୁପ୍ରିମ କୋର୍ଟ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ସମାଲୋଚନା କରୁଛନ୍ତି। ହେଲେ ଏବେ ନେଡି ଗୁଡ କହୁଣିକୁ ବୋହି ସାରିଲାଣି।
ଇତି ମଧ୍ୟରେ ପୁନେ ର ଜନୈକ ନାଗରିକ ବିହାର ଦୁର୍ବେ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ପାଇଛନ୍ତି ତାହା ଅତ୍ୟନ୍ତ ଉଦ୍ବେଗଜନକ। ୨୦୧୮ ବର୍ଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୦୫୪ କୋଟି ୭୩ ଲକ୍ଷ ୪୨ ହଜାର ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକିଥିବା ବେଳେ ଗତ ତିନିମାସ ଅର୍ଥାତ ୨୦୧୯ ମସିହା ଜାନୁଆରୀ ରୁ ମାର୍ଚ୍ଚ ମାସ ଭିତରେ ଏହା ୧୭୧୬ କୋଟି ପାଞ୍ଚ ଲକ୍ଷ ୧୪ ହଜାରରେ ପହଞ୍ଚିଛି। ତେବେ ଏ ସବୁ ବଣ୍ଡ କିଣିଥିବା ସଂସ୍ଥା ବା ବ୍ୟକ୍ତି ବିଶେଷ କିଏ ଏକଥା ଜାଣିବାର କୌଣସି ଉପାୟ ନାହିଁ। ଇଲେକ୍ଟୋରାଲ ବଣ୍ଡ ହେଲା ଦିନଠୁ ଏହାର ସର୍ବାଧିକ ଲାଭ ଭାରତୀୟ ଜନତା ପାର୍ଟି ଉଠାଇ ଚାଲିଛି। ପ୍ରତିଷ୍ଠିତ ଡିଜିଟାଲ ଗଣମାଧ୍ୟମ ଦି କୁଇଣ୍ଟ ର ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୧୮ ରେ ଦେଶରେ ୨୨୨ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଥିବା ବେଳେ ଏଥିରୁ ୯୫% ଅର୍ଥାତ ୨୧୦ କୋଟି ଟଙ୍କା କେବଳ ବିଜେପି ଖାତାକୁ ଆସିଥିଲା।
ଏବେ ପ୍ରଶ୍ନ ଉଠୁଛି ମାତ୍ର ତିନି ମାସରେ ଯେଉଁ ୧୭୧୬ କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଛି ଏହାର ପ୍ରାପକ କିଏ? ନିର୍ବାଚନ ପାଣ୍ଠି ବଢାଇବାରେ ଶାସକ ବିଜେପି ଯେଉଁ ପ୍ରକାର ଅଭିବୃଦ୍ଧି ହାସଲ କରୁଛି, ତାହା ଗତ ସତୁରୀ ବର୍ଷର ଶାସନରେ କେବେହେଲେ ଦେଖିବାକୁ ମିଳିନଥିଲା। ପ୍ରଥମଥର ଲାଗି ଦେଶର କର୍ପୋରେଟ ସଂସ୍ଥା ଗୁଡିକ କେବଳ ବିଜେପିକୁ ଚାନ୍ଦା ଦେଇ ଚାଲୁଛନ୍ତି। ନିଜକୁ ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ ବୋଲି କହୁଥିବା ମୋଦୀ ସରକାର ନିଜ ଦଳର ଚାନ୍ଦାକୁ ମଧ୍ୟ ଗୋପନ ରଖୁଛନ୍ତି। ଗୋପନୀୟତାରେ ବିଶ୍ଵାସ କରୁଥିବା ଏକ ସରକାର ସବୁଠୁ ଦୁର୍ନୀତିଗ୍ରସ୍ତ, ଏକଥା ଆମେ ବିଶ୍ଵାସ ଯଦି ନକରୁ ତାହେଲେ ଆମ ନିଜର ଗଣତନ୍ତ୍ର ବିପନ୍ନ ହେବା ସୁନିଶ୍ଚିତ ।
ବିହାର ଦୁର୍ବେ ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ସୂତ୍ରରୁ ପାଇଛନ୍ତି ସେଥିରେ ପାଞ୍ଚଟି ମୁଖ୍ୟ ସହରର ଇଲେକ୍ଟୋରାଲ ବଣ୍ଡ ବିଷୟରେ ସୂଚନା ରହିଛି। ଦେଶର ପାଞ୍ଚଟି ପ୍ରମୁଖ ସହରରୁ ଜାରି ହୋଇଥିବା ବଣ୍ଡ ର ପ୍ରଚୁର ଅର୍ଥରାଶି ର ସୂଚନା ଅନୁଯାୟୀ ଗତ ତିନି ମାସରେ ମୁମ୍ବାଇ ରୁ ୪୯୫ କୋଟି ୬୦ ଲକ୍ଷ ୧୨ ହଜାର, ଦିଲ୍ଲୀରୁ ୨୦୫ କୋଟି ୯୨ ଲକ୍ଷ ୧ ହଜାର, ହାଇଦରାବାଦରୁ ୨୯୦ କୋଟି ୫୦ ଲକ୍ଷ , କୋଲକାତା ରୁ ୩୭୦ କୋଟି ୭ ଲକ୍ଷ ଓ ଭୁବନେଶ୍ବରରୁ ୧୯୪ କୋଟି ୧ ଲକ୍ଷ ୧ ହଜାର ଟଙ୍କାର ବଣ୍ଡ ବିକ୍ରି ହୋଇଛି। ଉଭୟ ସରକାରୀ ଓ ବେସରକାରୀ କର୍ପୋରେଟ ଇଲେକ୍ଟୋରାଲ ବଣ୍ଡ କିଣିପାରିବାର ବ୍ୟବସ୍ଥା ରହିଛି। ଜାତୀୟ କମ୍ପାନୀ ଯଥା ନାଲକୋ ଓ ମହାନଦୀ କୋଲ ଫିଲ୍ଡ ଏ ପ୍ରକାର ଇଲେକ୍ଟୋରାଲ ବଣ୍ଡ ଭୁବନେଶ୍ବରରେ କିଣିଛନ୍ତି କି? ଓଡିଶାର କର୍ପୋରେଟ ସ୍ଥିତି କୁ ଦେଖିଲେ ତିନି ମାସରେ ୧୯୪ କୋଟି ଟଙ୍କା ଅତି ଅସାଧାରଣ ମନେ ହେଉଛି।
ବାସ୍ତବରେ ଏ ଟଙ୍କା କିଏ ଦେଇଛି ଓ କେଉଁ ସବୁ ଦଳ ଏଥିରୁ ଟଙ୍କା ପାଇଛନ୍ତି ତାହାର ଅନୁସନ୍ଧାନ ବର୍ତ୍ତମାନର ନିୟମ ଅଧୀନରେ ହୋଇ ପାରିବ ନାହିଁ। ତେବେ ଆମେ ସାଧାରଣ ନାଗରିକମାନେ କରିବା କଣ? ୨୦୧୨ ମସିହାରେ ସାରା ଦେଶରେ ଦୁର୍ନୀତି ବିରୋଧରେ ଯେଉଁ ମହାଯୁଦ୍ଧ ଆରମ୍ଭ ହୋଇଥିଲା ତାହା ଯେ ବିଜେପି ପ୍ରାୟୋଜିତ ଏକ ସୁଆଙ୍ଗ ଥିଲା ତାହା ଆଜି ପ୍ରମାଣିତ ହୋଇସାରିଛି। ଆଜି ନିର୍ବାଚନ ପାଇଁ ଗୋପନ ସୂତ୍ରରୁ ଏ ଯେଉଁ ବିପୁଳ ଅର୍ଥ ସଂଗ୍ରହ ହେଉଛି, ଏହା ସରକାର ଗଢିବାର “ଫିକ୍ସିଙ୍ଗ” ନୁହଁ ତ! ଗୋପନ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦେଶର ଗଣତନ୍ତ୍ରକୁ ଆଜି ବନ୍ଧା ପକା ଯାଉନାହିଁ ତ!!