ଜିଓର ଜବରଦସ୍ତ ରଣନୀତି ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଏହାର ଗ୍ରାହକ ବୃଦ୍ଧିକୁ ତ୍ୱରାନ୍ୱିତ କରିବ: ରିପୋର୍ଟ

Published: Apr 2, 2021, 6:40 pm IST

ଭୁବନେଶ୍ୱର: ଜିଓର ଜବରଦସ୍ତ ରଣନୀତି, ନୂଆ ଜିଓଫୋନ ଅଫର ଓ ଆଗାମୀ ଦିନରେ ଉନ୍ମୋଚନ ହେବାକୁଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ କଂପାନିକୁ ଗ୍ରାହକ ସଂଖ୍ୟାରେ ବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଜେଏମ୍ ଫାଇନାନ୍ସିଆଲ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସଦ୍ୟତମ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଟାରିଫ୍ ମୂଲ୍ୟରେ ସ୍ୱଳ୍ପ ମିଆଦୀ ବିଳମ୍ବ ଗ୍ରାହକ ପିଛା ହାରାହାରି ରାଜସ୍ୱ (ଏଆର୍‌ପିୟୁ)ରେ ହୋଇଥିବା ବୃଦ୍ଧିର ଧାରାକୁ ପଥଚ୍ୟୁତ କରିପାରିବ ନାହିଁ ଏବଂ ଟେଲିକମ୍ କ୍ଷେତ୍ରରେ କୌଣସି ପ୍ରକାର ମିଶ୍ରଣ ବା ସୁଧାର ହେଲେ ତାହା ଜିଓର ଗ୍ରାହକ ସଂଖ୍ୟାକୁ ଆହୁରି ସୁଦୃଢ଼ କରିବ ବୋଲି ରିପୋର୍ଟରେ କୁହାଯାଇଛି।

ଜେଏମ୍ ଫାଇନାନ୍ସିଆଲ୍ ଏହାର ରିପୋର୍ଟରେ ଜଣାଇଛି ଯେ ଦକ୍ଷତାରେ ବୃଦ୍ଧି ପାଇଁ ଉଚ୍ଚ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍‌ରେ ଅଧିକ ପରିମାଣର ସ୍ପେକ୍ଟ୍ରମ୍ ହାସଲ କରିବା ଲାଗି ଜିଓର ଜବରଦସ୍ତ ରଣନୀତି ରହିଛି। ପୁନଶ୍ଚ, ନୂଆ ଫିଓଫୋନ ‌ଅଫର ସହିତ ଆଗାମୀ ଦିନରେ ଆସିବାକୁଥିବା କମ୍ପାନୀର ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଗ୍ରାହକ ହାସଲ କରିବାର ଧାରା ବଜାୟ ରଖିବାରେ ସହାୟକ ହେବ।

ଜିଓର ନିକଟରେ ମାସିକ ୨.୩ ନିୟୁତ ଗ୍ରାହକ ଯୋଗ କରୁଛି। ସ୍ପେକ୍ଟ୍ରମ୍ କ୍ଷେତ୍ରରେ ଏହା ନିଜର ସ୍ଥିତି ସୁଦୃଢ଼ କରିଥିବା ବେଳେ ନୂଆ ଜିଓ ଫୋନ୍ ପ୍ଲାନ୍ ଗ୍ରାହକ ହାସଲ କରିବା ଧାରାକୁ ତ୍ୱରାନ୍ୱିତ କରିବ। ରିପୋର୍ଟରେ ଏହା କୁହାଯାଇଛି ଯେ ଉଭୟ ନୂଆ ଜିଓଫୋନ୍ ଅଫର ଏବଂ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌ର ସମ୍ଭାବ୍ୟ ଉନ୍ମୋଚନ ଜିଓର ଗ୍ରାହକ ସଂଖ୍ୟା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଯଦିଓ ଟେଲିକମ୍ ବଜାରରେ ଆହୁରି ଅନେକ କିଛି ଘଟଣା ଘଟିବାକୁ ଯାଉଛି କିନ୍ତୁ ଜିଓ ପାଇଁ ସ୍ଥିତି ବେଶ ଅନୁକୂଳ ରହଥିବା ଏହି ରିପୋର୍ଟରେ କୁହାଯାଇଛି।

ଜେଏମ୍ ଫାଇନାନ୍ସିଆଲ୍ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ, “ଆମର ବିଶ୍ୱାସ ରହିଛି ଯେ ଗ୍ରାହକ ଯୋଗ କରିବା ଦିଗରେ ଜିଓର ଉଲ୍ଲେଖନୀୟ ଗୁରୁତ୍ୱ ବଳରେ ଏହା ନିଜର ଗ୍ରାହକମାନଙ୍କୁ ଦୀର୍ଘମିଆଦୀ ଭିତିରେ ବ୍ୟାପକ ଡିଜିଟାଲ୍ ସୁଯୋଗ ପ୍ରଦାନ କରିବାର ଉନ୍ନତ ସ୍ଥିତିରେ ରହିଛି। ଜିଓର ଗ୍ରାହକ କୈନ୍ଦ୍ରିକ ଓ ବ୍ୟବସାୟ-ଗ୍ରାହକ ମଡେଲ୍ ମଧ୍ୟ ଏହାକୁ ଡିଜିଟାଲ୍ ସୁଯୋଗରୁ ଉପାର୍ଜନ କରିବା ଲାଗି ସୁଯୋଗ ପ୍ରଦାନ କରିବ, କିନ୍ତୁ ଅନ୍ୟ ଅପରେଟର ଅନୁସରଣ କରୁଥିବା ବ୍ୟବସାୟ-ବ୍ୟବସାୟ-ଗ୍ରାହକ ମଡେଲ୍‌ରେ ସେଭଳି ସ୍ୱାତନ୍ତ୍ରତା ନାହିଁ।’’

Related posts