ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚୀ ଭୁବନେଶ୍ୱରସ୍ଥିତ ଟେକ୍ସ୍ୱର୍ ମାନେଜମେଣ୍ଟ ସରଭିସେସ ପ୍ରାଇଭେଟ୍ ଲିମିଟେଡ୍ ସ୍କିଲ ପ୍ରଶିକ୍ଷଣ ସଂସ୍ଥା ପରିଦର୍ଶନରେ ଯାଇଥିଲେ । ଏଠାରେ ସଂକଳ୍ପ ଯୋଜନାରେ ଦକ୍ଷତା ତାଲିମ ନେଉଥିବା ଯୁବକଯୁବତୀଙ୍କ ସହ ସେ ଆଲୋଚନା କରିଥିଲେ ।
ସୂଚନା ଥାଉ କି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ଢେଙ୍କାନାଳ ଜିଲ୍ଲାର ୩୭ ଜଣ ଯୁବକଯୁବତୀ “ସଂକଳ୍ପ” ଯୋଜନାରେ ଏଠାରେ ସୁରକ୍ଷା ସେବା ପ୍ରଦାନ ତାଲିମ ନେଉଛନ୍ତି । ସଂକଳ୍ପ ଯୋଜନା ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟର ଜୀବିକା ପ୍ରୋତ୍ସାହନ ପାଇଁ ଦକ୍ଷତା ହାସଲ ଏବଂ ଜ୍ଞାନ ସଚେତନତା ପ୍ରଦାନ ଭିତ୍ତିକ ଏକ କାର୍ୟ୍ୟକ୍ରମ ଅଟେ ।
ଏହା ମାଧ୍ୟମରେ ଗୁଣାତ୍ମକ ଏବଂ ପରିମାଣିକ ଭାବେ ଉନ୍ନତ ମାନର ସ୍ୱଳ୍ପ ମିଆଦି ଦକ୍ଷତା ତାଲିମ ପ୍ରଦାନ କରାଯାଇଥାଏ । ଉକ୍ତ ତାଲିମ ଗ୍ରହଣ ପରେ ତାଲିମପ୍ରାପ୍ତ ଯୁବକଯୁବତୀମାନେ ବିମାନ ବନ୍ଦର ଏବଂ ରେଲୱେ ଷ୍ଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣସ୍ଥାନରେ ସେବା ଯୋଗାଇବେ । ଶ୍ରୀ ବାଗ୍ଚୀ ତାଲିମ ଅନୁଷ୍ଠାନର ଭିତ୍ତିଭୂମି ଦେଖିବା ସହ ପ୍ରଦାନ କରାଯାଉଥିବା ତାଲିମ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ।
ଏହି ପରିଦର୍ଶନ ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଶ୍ରୀ ପିନାକୀ ପଟ୍ଟନାୟକ ଏବଂ ଟେକ୍ସ୍ୱର୍ ମାନେଜମେଣ୍ଟ ସରଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଶ୍ରୀ ଅଜିତ ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ ।