ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ସିରିଜ୍ ଖେଳିବେ ନାହିଁ ବିରାଟ!, ବିସିସିଆଇରୁ ମାଗିଲେ ବିରତି

Published: Dec 14, 2021, 12:00 pm IST

ନୂଆଦିଲ୍ଲୀ: ଭାରତୀୟ ଦଳର ବରିଷ୍ଠ ଖେଳାଳି ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଖେଳୁଥିବା ଦେଖିବାକୁ ମିଳିବେ ନାହିଁ। ବ୍ୟକ୍ତିଗତ କାରଣରୁ କୋହଲି ଜାନୁଆରୀରେ ବିସିସିଆଇରୁ ବିରତି ମାଗିଛନ୍ତି। ଯଦି ତାଙ୍କର ଏହି ଅନୁରୋଧ ଗ୍ରହଣ କରାଯାଏ, ତେବେ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆର ସମସ୍ୟା ବଢିପାରେ। ଏହାପୂର୍ବରୁ ସୋମବାର ଦିନ ବିସିସିଆଇ କହିଛି ଯେ, ରୋହିତ ଶର୍ମା ଆହତ ହୋଇଛନ୍ତି ଏବଂ ସେ ଟେଷ୍ଟ ସିରିଜରେ ଖେଳିବେ ନାହିଁ। ଆଗାମୀ ସିରିଜରେ ଏହି ଖେଳାଳିଙ୍କ ବିନା ଭାରତୀୟ ଦଳ ପଡ଼ିଆକୁ ଓହ୍ଳାଇବ।

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ବିରାଟ କୋହଲି ଜାନୁଆରୀରେ ତାଙ୍କ ପରିବାର ସହ ସମୟ ବିତାଇବାକୁ ଚାହୁଁଛନ୍ତି ଏବଂ ତେଣୁ ବିସିସିଆଇରୁ ବିରତି ଲୋଡିଛନ୍ତି। ଏହାର ଅର୍ଥ ହେଉଛି ଯେ, ସେ ଦିନିକିଆ ସିରିଜରେ ଖେଳିବାକୁ ସମର୍ଥ ହେବେ ନାହିଁ। କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ନିକଟରେ ବିରାଟ କୋହଲିଙ୍କୁ ବିସିସିଆଇ ଦିନିକିଆର ଅଧିନାୟକତ୍ୱରୁ ହଟାଇ ଦେଇଥିଲା। ଏହା ପରେ ରୋହିତଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରୁ ରୋହିତ ଏକଦିବସୀୟ ଦଳର ନେତୃତ୍ୱ ନେବେ। ବର୍ତ୍ତମାନ ବିସିସିଆଇ ଆଫ୍ରିକା ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିନାହିଁ। ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କ ବଦଳରେ କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ, ତାହା ଦେଖିବା ମଜାଦାର ହେବ। ଉଲ୍ଲେଖଥାଉ କି, ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଅନେକ ଯୁବ ଖେଳାଳି ଏହି ସମୟରେ ଭଲ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦିନିକିଆ ଦଳରେ ଅନ୍ତର୍ଭୁକ୍ତ ହୋଇପାରନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁୟାରୀ ୨୨ ତାରିଖରୁ ଖେଳାଯିବ।

Related posts