
ରାୟପୁର: ଛତିଶଗଡର ସୁକମା ଜିଲ୍ଲାର ଏରାବୋର ଅଞ୍ଚଳରେ ନକ୍ସଲମାନେ ଜଣେ ଗ୍ରାମୀଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ଦାରେ ନବୀନ ବୋଲି ଜଣାପଡିଛି। କୋଣ୍ଟା ଏରିଆ କମିଟିର ନକ୍ସଲମାନେ ଆଜି ସକାଳେ ଏହି ଘଟଣା କରିଛନ୍ତି। ଦାରେଙ୍କୁ ହତ୍ୟା କରିବା ପରେ ନକ୍ସଲମାନେ ମୃତ ଦେହ ନିକଟରେ ଏକ ପୋଷ୍ଟର ମଧ୍ୟ ଫିଙ୍ଗି ଦେଇଛନ୍ତି, ଯେଉଁଥିରେ ଦାରେ ନବୀନଙ୍କୁ ଜଙ୍ଗଲ କାଟିବା ଏବଂ ବେଆଇନ ଭାବେ ଜମି ଦଖଲ କରିଥିବା ଅଭିଯୋଗ ହୋଇଛି।
ଏହା ବ୍ୟତୀତ ନକ୍ସଲମାନେ ସେମାନଙ୍କ ପୋଷ୍ଟରରେ ଅନ୍ୟ ୧୦ ରୁ ଅଧିକ ଗ୍ରାମବାସୀଙ୍କ ନାମ ଲେଖି ମଧ୍ୟ ଜଙ୍ଗଲ କାଟିବା ଏବଂ ବେଆଇନ ଭାବେ ଜମି ଅଧିକାର କରିଥିବାରୁ ସେମାନଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ସୁକମା ଏସପି ସୁନୀଲ ଶର୍ମା ଏହି ଘଟଣାକୁ ନିଶ୍ଚିତ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ନକ୍ସଲମାନେ ଆଜି ସକାଳେ ଦାରେ ନବୀନଙ୍କୁ ଘରୁ ନେଇଯାଇଥିଲେ ଏବଂ କିଛି ଦୂରରେ ତାଙ୍କ ଗଳା କାଟି ହତ୍ୟା କରିଥିଲେ। କୁହାଯାଉଛି ଯେ, ଏହା ପୂର୍ବରୁ ମଧ୍ୟ ନକ୍ସଲମାନେ ଗ୍ରାମବାସୀଙ୍କୁ ଚେତାବନୀ ଦେଇଥିଲେ, ଯାହା ପରେ ଆଜି ସକାଳେ ଦାରେ ନବୀନଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି।