କୋଲକୋତା: ଉପରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ବୈଠକ ଡାକିଛନ୍ତି। ଆସନ୍ତା ସଂସଦ ଅଧିବେଶନ ତଥା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ଆଲୋଚନା ପାଇଁ ଜୁଲାଇ ୨୧ ତାରିଖରେ ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ବୈଠକ ଡକାଯାଇଛି।
ଦଳ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ସମସ୍ତ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ସଂସଦର ଆଗାମୀ ଅଧିବେଶନ ତଥା ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଯୋଜନା ଉପରେ ଆଲୋଚନା କରିବେ। ସୂଚନାନୁସାରେ, ଏହି ବୈଠକ ଜୁଲାଇ ୨୧ ତାରିଖ ସନ୍ଧ୍ୟାରେ କାଲିଘାଟର ମମତା ବାନାର୍ଜୀଙ୍କ ବାସଭବନରେ ଅନୁଷ୍ଠିତ ହେବ।
ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଆଜି ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜଗଦୀପ ଧନଖର ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଛନ୍ତି। ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଛି। ପରସ୍ପରର କାର୍ଯ୍ୟକଳାପ ପାଇଁ ଉଭୟ ପକ୍ଷରୁ ସମାଲୋଚନା କରାଯାଇଛି। ଦେଶର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ।
ଏହାପୂର୍ବରୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଯଦି ବିଜେପି ତାଙ୍କୁ ନାମାଙ୍କନ ଦେବା ପୂର୍ବରୁ ବିରୋଧୀ ଦଳଙ୍କ ସହ କଥାବାର୍ତ୍ତା କରିଥାନ୍ତେ ତେବେ ଦ୍ରୌପଦୀ ମୁର୍ମୁ ସର୍ବସମ୍ମତି ପ୍ରାର୍ଥୀ ହୋଇଥାନ୍ତେ। ପ୍ରକାଶ ଯୋଗ୍ୟ ଯେ, ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ଅଟନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳର ପ୍ରାର୍ଥୀ ହେଉଛନ୍ତି ପୂର୍ବତନ ଟିଏମସି ନେତା ଯଶବନ୍ତ ସିହ୍ନା।