ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ହାତୀଦାନ୍ତ ଚୋରାଚାଲାଣ ଅଭିଯୁକ୍ତ ଶେଖ ରଜାକ ଗିରଫ

Published: Aug 12, 2022, 11:08 am IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପାରିକ୍ଷେତା ଅଞ୍ଚଳର ଆନ୍ତରାଜ୍ୟ ହାତୀଦାନ୍ତ ଚୋରା ଚାଲାଣ ମୁଖ୍ୟ ଅଭିଯୁକ୍ତ ଶେଖ ରଜାକ ଗତକାଲି ଗିରଫ ହୋଇଛି।  ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋର୍ଦ୍ଧା ଏସପି ଓ ଡ଼ିଏଫଓ ଙ୍କ ତତ୍ୱାବଧାନରେ ଏକ ଛୋଟ ଏସଟିଏଫ ଟିମ ଗଠନ କରାଯାଇଥିଲା, ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ, ରଣପୁର ରେଞ୍ଜର ସୁବ୍ରତ ବେହେରା, ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା ଏବଂ ଏପିଆର ଫୋର୍ସ ଆଦି ସାମିଲ ଥିଲେ।

ଅଭିଯୋଗ ମୁତାବକ ଶେଖ ରଜାକ ଆଠଗଡ ଅଞ୍ଚଳର ହାତୀ ଶିକାରରେ ସମ୍ପୃକ୍ତ ଥିଲେ ଏବଂ ହାତୀ ଦାନ୍ତକୁ କୋଲକତାରେ ବିକ୍ରି କରୁଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ରାକେଟର ପର୍ଦ୍ଦାଫାସ କରିବା ଏବଂ ରଜାକଙ୍କୁ ଧରିବା ପାଇଁ ଏସଟିଏଫ ଜାଲ ବିଛେଇଥିଲା। ଏସଟିଏଫ ପାରିକ୍ଷେତା ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ରଜାକକୁ କାବୁ କରିନେଇଥିବା ବେଳେ ରଜାକଙ୍କ ସମର୍ଥକମାନେ ବହୁ ସଂଖ୍ୟାରେ ଆସି ଝଗଡା କରିବାରୁ ଏହାର ସୁଯୋଗ ନେଇ ରଜାକ ସେଠାରୁ ଖସି ପଳାଇବାରେ ସମର୍ଥ ହୋଇଥିଲେ।

ତଥାପି ଏସଟିଏଫ ହାର ନ ମାନି ପୁନର୍ବାର ରାତିତମାମ ଛଦ୍ମବେଶରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପରିଶେଷରେ ରଜାକଙ୍କୁ ଗିରଫ କରି ବେଗୁନିଆ ଥାନାରେ ଜିମା ଦେଇଥିଲା।  ତେବେ ରଜାକଙ୍କୁ ଆଜି ଆଠଗଡ ବନବିଭାଗକୁ ହସ୍ତାନ୍ତର କରାଯାଇଥିବାର ଖୋର୍ଦ୍ଧା ଏସିଏଫ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।

Related posts