ଜୀବନବ୍ୟାପି ଲୋକସେବା ପୁରସ୍କାରକୁ ଓଡିଶାର ସାଢେ ଚାରିକୋଟି ଓଡିଆଙ୍କୁ ସମର୍ପିତ କଲେ ନବୀନ

Published: Sep 4, 2022, 5:50 pm IST

ନୂଆଦିଲ୍ଲୀ: ଆଜି ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପି ଲୋକସେବା ପାଇଁ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ପ୍ରେକ୍ଷାଳୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭାରତର ପୂର୍ବତ୍ତନ ମୁଖ୍ୟ ବିଚାରପତି ଏମ ଭି ରମଣା ନବୀନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟକୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହିତ ଏହି ପୁରସ୍କାରକୁ ସେ ଓଡିଶା ସାଢେ ଚାରି କୋଟି ଲୋକଙ୍କୁ ସମର୍ପଣ କଲେ ବୋଲି ଘୋଷଣା କରିଥିଲେ। କାରଣରେ ସେ କହିଥିଲେ ଯେ, ଆଜି ଓଡିଶାର ଲୋକେ ମୋତେ 22 ବର୍ଷ ଧରି ଆର୍ଶିବାଦ ଦେଇଆସିଛନ୍ତି। ସେହିମାନଙ୍କ ବିଶ୍ବାସ ଆଜି ଓଡିଶାକୁ ସଶକ୍ତ କରିବା ମୋ ପାଇଁ ବଡ ଅସ୍ତ୍ର ବୋଲି ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡିଶା ବର୍ତ୍ତମାନ ବିଶ୍ବବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବିଶ୍ବରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏକଦା ଖାଦ୍ୟ ଅଭାବ ରାଜ୍ୟ ଆଜି ଖାଦ୍ୟ ବଳକା ରାଜ୍ୟ ଭାବେ ବିଶ୍ବ ନିକଟରେ ପରିଚିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ସ୍ବାସ୍ଥ୍ୟ, ଶିକ୍ଷା ଗମାନଗମନ ଏବଂ ଶିଳ୍ପ କ୍ଷେତ୍ରରେ ଓଡିଶା ବେଶ ଆଗକୁ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Related posts