ବରିଷ୍ଠ ଚିତ୍ର ଶିଳ୍ପ ତଥା ଓଡିଶା ଲଳିତକଳା ଏକାଡେମୀର ଉପସଭାପତି ଶ୍ରୀନିବାସ ପଢିହାରୀଙ୍କ ଦେହାନ୍ତ

Published: Oct 7, 2022, 9:59 pm IST

ଭୁବନେଶ୍ଵର: ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି ତଥା ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀନିବାସ ପଢିଆରୀଙ୍କ ଆଜି ସକାଳ ୯ ଘଟିକା ସମୟରେ ଦେହାନ୍ତ ହୋଇଯାଇଛି । ସ୍ଵର୍ଗତ ପଢିଆରୀ ଓଡ଼ିଶାର ଜଣେ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ମୁଦ୍ରଣ କଳା ଶିଳ୍ପୀ ଭାବେ ଖ୍ୟାତ ଥିଲେ।

ସ୍ଵର୍ଗତ ଶ୍ରୀନିବାସ ପଢିଆରୀଙ୍କ ବିୟୋଗରେ ତାଙ୍କର ଶବାଧାରରେ ପୁଷ୍ପଗୁଚ୍ଛ ଅର୍ପଣ ସହ ଏକାଡେମୀର ସଚିବ ଓ ଅନ୍ୟମାନେ ଶେଷ ଦର୍ଶନ କରିଥିଲେ । ସ୍ଵର୍ଗତ ପଢିଆରୀଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ଠାରେ ସମ୍ପନ୍ନ ହୋଇଅଛି । ତାଙ୍କର ବିୟୋଗରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଲଳିତ କଳା ଏକାଡେମୀ କାର‌୍ୟ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।

ଶିଳ୍ପୀଙ୍କ ଫଟୋଚିତ୍ରରେ ନିର୍ଦ୍ଦେଶକ ଶ୍ରୀ ଦାସ, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ, ଏକାଡେମୀର ସଦସ୍ୟ ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବଶ୍ରୀ ପ୍ରବୋଧ କୁମାର ରଥ, ଓଡିଶା ସାହିତ୍ୟ ଏକାଡେମୀର ସତିବ ଶ୍ରୀ ପ୍ରବୋଧ ରାଉତ, ଖଲ୍ଲିକୋଟ ଆର୍ଟ କଲେଜର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ, ଭାସ୍କର‌୍ୟ୍ୟ ଶିଳ୍ପୀ ଜୟନ୍ତ କୁମାର ଦାଶ, ଅଧ୍ୟାପକ ନିଗମାନନ୍ଦ ସ୍ଵାଇଁ, ଶିଳ୍ପୀ ବିଦ୍ୟୁତ ଲତା ପାଟଶାଣୀ, ଶ୍ରୀ ରବୀନ୍ଦ୍ର ମହାରଣା ଓ ଅନ୍ୟ କର୍ମକର୍ତ୍ତାମାନେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକସ୍ୱର୍ଗତ ପଢିଆରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Related posts