ଚିଲିକାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ: ଯୋଗ ଦେଲେ ବହୁ ତୁଙ୍ଗ ନେତା

Published: Jan 10, 2023, 10:27 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତ ଡିସେମ୍ବର ୨୬ ତାରିଖ ଦିନ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପୁରୀଠାରେ ଖୁବ ଧୁମଧାମରେ ଦଳ ପାଳନ କରିଥିଲା। ପ୍ରତିଷ୍ଠା ଦିବସ ଉପଲକ୍ଷେ ସବୁ ନିର୍ବାଚନ ମଣ୍ଡଳୀରେ ଦଳର ରଜତ ଜୟନ୍ତୀ ଉତ୍ସାହର ସହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବାଇପାସ ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ଠାରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିଛି। ବିଧାୟକଙ୍କ ଅନୁପସ୍ଥିତିରେ ତାଙ୍କ ଧର୍ମପତ୍ନୀ ସ୍ୱାଗତିକା ଜଗଦ୍ଦେଵଙ୍କ ଆହ୍ୱାନ କ୍ରମେ ନିର୍ବାଚନ ମଣ୍ଡଳୀର ସହସ୍ରାଧିକ ମହିଳା ଓ ପୁରୁଷ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଉକ୍ତ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଲବନ୍ତରାୟ, ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ପଟ୍ଟଶାଣୀ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଜିଲ୍ଲା ପରିଷଦ ସଭ୍ୟା ସବିତା ସୁନ୍ଦରାୟ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସମେତ ଚିଲିକା ନିର୍ବାଚନମଣ୍ଡଳୀର ବହୁ ତୁଙ୍ଗ ନେତା ଉକ୍ତ ସଭାରେ ଯୋଗ ଦେଇଥିଲେ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚାସିନ ଅତିଥି ବୃନ୍ଦ ଭୁୟସୀ ପ୍ରଶଂସା କରିବା ସହ ବିଜେଡି ଆଗାମୀ ଦିନରେ ପୁଣି ସରକାର ଗଢ଼ିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରି ସ୍ୱାଗତିକା ଜଗଦ୍ଦେଵ ଚିଲିକାରେ ପୁଣି ବିଜେଡିର ବିଧାୟକ ଜିତିବେ ବୋଲି ଉପସ୍ଥିତ କର୍ମୀଙ୍କୁ କହିଥିଲେ।

ଅନ୍ୟ ଅତିଥି ବୃନ୍ଦ ବିଧାୟକଙ୍କ ଅନୁପସ୍ଥିତିରେ ନିର୍ବାଚନ ମଣ୍ଡଳୀର ପ୍ରଗତିରେ ବାଧା ଉପୁଜୁଥିବାରୁ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନିର୍ବାଚନ ମଣ୍ଡଳୀକୁ ପସିବାକୁ ଅନୁମତି ଦିଆଯାଉ ବୋଲି ଉପସ୍ଥିତ ନେତୃତ୍ୱ ଆଗରେ ପରିପ୍ରକାଶ କରିଥିଲେ। ନଚେତ ଆଗାମୀ ଦିନରେ ଚିଲିକା ବିଜେଡି ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

Related posts