ଭୋଜି ରନ୍ଧା ଯାଉଥିବା ତରକାରୀ ହାଣ୍ଡିରେ ପଡି ମାତାଲ ଯୁବକ ଗୁରୁତର

Published: May 8, 2023, 4:36 pm IST
tangihospital

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରୋଷେଇ ଶାଳରେ ପ୍ରସ୍ତୁତ ହେଉଥିବା ଗରମ ତରକାରୀ ହାଣ୍ଡିରେ ପଡି ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ଯୁବକଜଣଙ୍କ ସେହି ସମୟରେ ମଦ ପିଇ ମାତଲ ଅବସ୍ଥାରେ ଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ପ୍ରତାପ ମହାପାତ୍ର ସେହି ଗ୍ରାମର ଏକ ପାରିବାରିକ କାର୍ଯ୍ୟକ୍ରମରେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯୋଗଦେବାକୁ ଯାଇଥିଲେ। ସେହି କାର୍ଯ୍ୟକ୍ରମରେ ଗାଁର ୫୦୦ ରୁ ଅଧିକ ଲୋକଙ୍କ ନିମନ୍ତେ ଖାଇବା ରନ୍ଧା ଯାଉଥିଲା।

ଏହାର ରନ୍ଧା ଦାୟିତ୍ୱ ନେଇଥିଲେ ପ୍ରତାପଙ୍କ ଦାଦା। ତେଣୁ ପ୍ରତାପ ରୋଷେଇ ଶାଳ (ଖନ୍ଦା ଶାଳ )କୁ ଯାଇ ବିଭିନ୍ନ ବ୍ୟଂଜନ ପରଖୁ ଥିଲେ। ତେବେ ପ୍ରତାପ ଭାରସାମ୍ୟ ହରାଇ ଚୁଲିରେ ବସିଥିବା ଆମିଷ ଘାଣ୍ଟ ତରକାରୀ ହଣ୍ଡା ଭିତରେ ପଡି ଯାଇଥିଲେ।

ସେଠାରେ ଉପସ୍ଥିତ ଥିବା ଲୋକେ ପ୍ରତାପଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରତାପଙ୍କ ଅବସ୍ଥା ଆହୁରି ସକଟାପନ୍ନ ହେବାରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ତାଙ୍କୁ ଭୁବନେଶ୍ବର ଏମସ୍ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି

Related posts