ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇ ଏଣ୍ଡ ଏଲ) ଆଜି 2020-21 ଏବଂ 2021-22 ବର୍ଷ ଲାଗି ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ଉପରେ ମିଳିତ ରିପୋର୍ଟ ଜାରି କରିଛି। ଏହା ବ୍ୟାପକ ବିଶ୍ଳେଷଣ ଉଦ୍ଦେଶ୍ୟରେ ଏକ ସୂଚକାଙ୍କ ପ୍ରସ୍ତୁତ କରି ଜିଲ୍ଲା ସ୍ତରରେ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ପ୍ରଦର୍ଶନକୁ ଆକଳନ କରିଥାଏ।
ଭାରତୀୟ ଶିକ୍ଷା ପ୍ରଣାଳୀ ବିଶ୍ୱର ସବୁଠୁ ବଡ଼ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ। 14.9 ଲକ୍ଷ ବିଦ୍ୟାଳୟ, 95 ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଆର୍ଥିକ ପୃଷ୍ଠଭୂମିରେ ପ୍ରାୟ 26.5 କୋଟି ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ରହିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟମାନଙ୍କ ଲାଗି ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ (ପିଜିଆଇ-ଡି) ପ୍ରସ୍ତୁତ କରିଛି ଏବଂ ସନ୍ଦର୍ଭ ବର୍ଷ 2017-18 ଠାରୁ 2020-21 ପାଇଁ ରିପୋର୍ଟ ଜାରି କରିଛି। ରାଜ୍ୟ ପିଜିଆଇର ସଫଳତା ଦ୍ୱାରା ଉତ୍ସାହିତ ହୋଇ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସବୁ ଜିଲ୍ଲାଗୁଡ଼ିକର ପ୍ରଦର୍ଶନକୁ ବର୍ଗୀକରଣ କରିବା ଲାଗି 83 ସଙ୍କେତକ ଆଧାରିତ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ କ୍ରମ ନିର୍ଦ୍ଧାରଣ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଏଥିରେ ଜିଲ୍ଲାଗୁଡ଼ିକ ଦ୍ୱାରା ଅନଲାଇନ ପୋର୍ଟାଲ ମାଧ୍ୟମରେ ତଥ୍ୟ ପୂରଣ କରାଯାଏ। ପିଜିଆଇ-ଡି ରାଜ୍ୟ ଶିକ୍ଷା ବିଭାଗଗୁଡ଼ିକୁ ଜିଲ୍ଲା ସ୍ତରରେ ଅଭାବ ଚିହ୍ନଟ କରିବା ଏବଂ ବିକେନ୍ଦ୍ରୀକୃତ ଢଙ୍ଗରେ ସେଗୁଡ଼ିକର ପ୍ରଦର୍ଶନରେ ସୁଧାର ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ସଙ୍କେତକ ଆଧାରରେ ପିଜିଆଇ ଆକଳନ ସେହି ସବୁ କ୍ଷେତ୍ରଗୁଡ଼ିକୁ ପ୍ରଦର୍ଶିତ କରିଥାଏ ଯେଉଁଠି କୌଣସି ଜିଲ୍ଲାରେ ସୁଧାର ଆବଶ୍ୟକତା ରହିଛି। 2018-19 ଏବଂ 2019-20ର ପିଜିଆଇ-ଡି ରିପୋର୍ଟ ପୂର୍ବରୁ ଜାରି କରାଯାଇସାରିଛି ଏବଂ ବର୍ତ୍ତମାନର ବିବରଣୀ 2020-21 ଏବଂ 2021-22 ପାଇଁ ମିଳିତ ଦସ୍ତାବିଜ ଅଟେ।
ପିଜିଆଇ-ଡିର ଭିତ୍ତିଭୂମିର 83 ସଙ୍କେତକ ମଧ୍ୟରୁ 600 ପଏଣ୍ଟର ମୋଟ୍ ଭାର ବା ୱେଟେଜ୍ ସାମିଲ ରହିଛି, ଯାହାକୁ 6ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା : ପ୍ରଭାବୀ ଶ୍ରେଣୀ କାର୍ଯ୍ୟ ସମ୍ପାଦନ, ମୌଳିକ ଭିତ୍ତିଭୂମି ସୁବିଧା ଏବଂ ଛାତ୍ରଛାତ୍ରୀଙ୍କ ଅଧିକାର, ବିଦ୍ୟାଳୟ ସୁରକ୍ଷା ଏବଂ ଶିଶୁ ସଂରକ୍ଷଣ, ଡିଜିଟାଲ ଲର୍ଣ୍ଣିଂ ତଥା ପ୍ରଶାସନିକ ପ୍ରକ୍ରିୟା। ଏହି ଶ୍ରେଣୀକୁ 12ଟି ଡୋମେନ୍ରେ ବିଭାଜିତ କରାଯାଇଛି, ଯେଉଁଥିରେ ଶିଖିବାର ପରିଣାମ ଓ ଗୁଣବତ୍ତା (ଏଲଓ), ଆକ୍ସେସ୍ ବା ପ୍ରାପ୍ତି ପରିଣାମ (ଏଓ), ଶିକ୍ଷକ ଉପଲବ୍ଧତା ଓ ବୃତ୍ତିଗତ ବିକାଶ ପରିଣାମ (ଟିଏପିଡିଓ), ଅଧ୍ୟୟନ ପରିଚାଳନା (ଏଲଏମ), ଶିକ୍ଷଣ ବୃଦ୍ଧି ଗତିବିଧି (ଏଲଇଏ), ମୌଳିକ ଭିତ୍ତିଭୂମି, ସୁବିଧା, ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ (ଆଇଏଫ ଏଣ୍ଡ ଏସଇ) ବିଦ୍ୟାଳୟ ସୁରକ୍ଷା ଓ ଶିଶୁ ସଂରକ୍ଷଣ (ଏସଏସ ଏଣ୍ଡ ସିପି), ଡିଜିଟାଲ ଅଧ୍ୟୟନ (ଡିଏଲ), ଅର୍ଥରାଶି ସଂଯୋଜନ ଏବଂ ଉପଯୋଗ (ଏଫସିବି), ସିଆରସି ପ୍ରଦର୍ଶନକୁ ପ୍ରୋତ୍ସାହନ ଦେବା (ସିଆରସିପି), ଉପସ୍ଥିତି ଅନୁଧ୍ୟାନ ପ୍ରଣାଳୀ (ଏଏମଏସ) ଏବଂ ବିଦ୍ୟାଳୟ ନେତୃତ୍ୱ ବିକାଶ (ଏସଏଲଡି) ସାମିଲ ରହିଛି।
ପିଜିଆଇ-ଡି ଜିଲ୍ଲାଗୁଡ଼ିକୁ ଦଶଟି ଶ୍ରେଣୀରେ ବର୍ଗୀକୃତ କରିଥାଏ। ଏହି ବର୍ଗୀକରଣ ଅନୁଯାୟୀ, ଦକ୍ଷ ହେଉଛି ସବୁଠୁ ଉଚ୍ଚତମ ଗ୍ରେଡ୍। ମୋଟ୍ ଉପରେ 90 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପଏଣ୍ଟ ପାଉଥିବା ଜିଲ୍ଲାକୁ ଏହି ଗ୍ରେଡ୍ ଦିଆଯାଏ। ପିଜିଆଇ-ଡିରେ ସବୁଠୁ ନିମ୍ନ ଗ୍ରେଡ୍କୁ ଆକାଂକ୍ଷୀ-3 କୁହାଯାଏ, ଯାହା ମୋଟ୍ ପଏଣ୍ଟର 10 ପ୍ରତିଶତ ପର୍ଯ୍ୟନ୍ତ ସ୍କୋର ପାଇଁ ଦିଆଯାଏ। ପିଜିଆଇ-ଡିର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଜିଲ୍ଲାଗୁଡ଼ିକୁ ବିଦ୍ୟାଳୟ ଶିକ୍ଷାରେ ହସ୍ତକ୍ଷେପ ପାଇଁ ପ୍ରାଥମିକତା ଆଧାରିତ କ୍ଷେତ୍ରରେ ସହାୟତା କରିବା ଏବଂ ଏହା ଜରିଆରେ ଉଚ୍ଚତମ ଗ୍ରେଡରେ ପହଞ୍ଚିବା ପାଇଁ ସୁଧାର ଜାରି ରଖିବ।