ଢେଙ୍କାନାଳ ହିନ୍ଦୋଳ ବ୍ଲକ୍‌ ଦୁଦୁରକୋରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

Published: Dec 16, 2023, 9:57 pm IST

ଭୁବନେଶ୍ୱର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଦୁଦୁରକୋଟ ପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ଶ୍ରୀ ରାୟ କହିଛନ୍ତି, ସଂକଳ୍ପ ଯାତ୍ରା ଅବସରରେ ସ୍ଥାନୀୟ ଲୋକମାନେ ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ିକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିବା ଉତ୍ସାହଜନକ । ଦେଶର ଅଧିକାଂଶ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଯୋଜନାଗୁଡ଼ିକ ପହଞ୍ଚି ପାରୁଛି । ହିତାଧିକାରୀମାନେ ଯେଉଁସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କର ଯାତ୍ରା ରହଣୀ ସ୍ଥଳରେ ପଞ୍ଜୀକରଣ କରାଯାଉଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ମୋଦୀଙ୍କ ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ଏସବୁ ଯୋଜନା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ବିଶେଷ ଭୂମିକା ରହିଥିବା ସେ ଗୁରୁତ୍ୱାରୋପ କରି କହିଥିଲେ । ପିଏମ୍‌ ଉଜ୍ଜ୍ୱଳା, ସ୍ୱଚ୍ଛ ଭାରତ ଅଭିଯାନ ଆଦିରେ କୋଟି କୋଟି ହିତାଧିକାରୀ ଉପକୃତ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାୟ ମତବ୍ୟକ୍ତ କରିଥିଲେ।

ଯାତ୍ରା ରହଣୀ ସ୍ଥଳରେ ହିନ୍ଦୋଳ ବିଡିଓ, ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି, ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ । ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି ବା ଯାତ୍ରା ସଚେତନତା ରଥରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ ଜରିଆରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ବିଭିନ୍ନ ଯୋଜନାର ହିତାଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ସେମାନଙ୍କର ଅନୁଭୂତି ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Related posts