ସୁଧାଶ୍ରୀ ଦାଶ, ଦୁବାଇ
ଦୁବାଇର ପ୍ରାୟ ୧୦ ବର୍ଷର ରହଣି । ଏହି ୧୦ ବର୍ଷ ଭିତରେ ଅନେକ ଭାରତୀୟଙ୍କୁ ଏଠି ଭେଟିଛି । ସମସ୍ତେ ନିଜ ନିଜ ରାଜ୍ୟର ଗର୍ବ ଓ ଗୌରବ କୁ ନେଇ ଏଠି ଚଳନ୍ତି । ସେ ପଞ୍ଜାବୀ ହେଉ ବା ତେଲୁଗୁ, ବଙ୍ଗାଳୀ ହେଉ ବା ସିନ୍ଧି, ସମସ୍ତଙ୍କର ରହିଛି ଅଲଗା ଅଲଗା ଗରିମା । ସେମାନଙ୍କ ସମସ୍ତଙ୍କ ସାଂଗରେ ମୋର ନିତିଦିନିଆ ଦେଖା । କିନ୍ତୁ ମୁଁ ଦେଖେ ଯେ, ଅନେକ ପ୍ରବାସୀ ଭାରତୀୟ ଏଠି ଓଡ଼ିଶା ସହ ଏତେଟା ପରିଚିତ ନୁହନ୍ତି । ଅନେକେ ପଚାରନ୍ତି ‘ଓଡ଼ିଶା କେଉଁଠି ଅଛି ?’ ମୁଁ ମର୍ମାହତ ହୁଏ । ମନେହୁଏ ଭାରତ ବାହାରେ ମୋର ଅସ୍ତିତ୍ୱ ନାହିଁ । ଅନେକ ବାଦବିବାଦ ଉଠେ ମନ ଭିତରେ । ପୁଣି ନିଜକୁ ସାନ୍ତ୍ୱନା ଦେବାକୁ କୁହେ ଯେ “ଏମାନଙ୍କ ଭୂଗୋଳ ଜ୍ଞାନ କମ୍ ।” କିନ୍ତୁ ପୁଣି ନିଜକୁ ପ୍ରଶ୍ନ ପଚାରେ, ଆମେ କ’ଣ ସେମିତି କିଛି କରିଛୁ ବାହାରେ ପରିଚିତ ହେବ ପାଇଁ ? କିନ୍ତୁ ଏହା ବି ସତ ଯେ, ଅନେକେ ଆମକୁ ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ହିସାବରେ ଜାଣନ୍ତି । ‘କୋଲକାତା’ କହିଲା ମାନେ ସେମାନେ ଟିକେ ମୁରୁକି ହସିଦେଇ କଥାଟାକୁ ବୁଝି ଯାଆନ୍ତି ।
କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ମୋ ମନକୁ ଦେଇଥିଲା, ଆନନ୍ଦ ଓ ଗର୍ବରେ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ବିଶ୍ୱ ପୁରୁଷ ହକି ବିଶ୍ୱକପ୍ -୨୦୧୮ । ଏହାଥିଲା ଏକ ରୋମାଞ୍ଚର, ଆଲୋକଭରା, ଅଭୂତପୂର୍ବ ରଂଗାରଂଗ କାର୍ଯ୍ୟକ୍ରମ । ବଲିଉଡର ଅନେକ ଖ୍ୟାତନାମା ଓ ନାମୀଦାମୀ କଳାକାର ଏଠାରେ ଉପସ୍ଥିତ ଥିଲେ । ଷ୍ଟେଜ୍ ଉପରେ ଚାଲିଥିଲା ଚମକପ୍ରଦ ନୃତ୍ୟଗୀତର କାର୍ଯ୍ୟକ୍ରମ । ଏସବୁ ଭିତରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ଉତ୍ସାହିତ ହେବା ସ୍ୱାଭାବିକ ।
ମୁଁ ମା’ ମାଟିଠାରୁ ଦୂର ଦେଶରେ ରହି କାର୍ଯ୍ୟକ୍ରମକୁ ଟିଭିରେ ଲାଇଭ୍ ଉପଭୋଗ କରୁଥିଲି । ମୋ ଛାତି ଫୁଲି ଉଠୁଥିଲଉଠୁଥିଲା ପ୍ରତି ମୁହୂର୍ତ୍ତ । ଲାଗୁଥିଲା ଏହା ମୋ ରାଜ୍ୟ । ଆଜି ପୁରା ବିଶ୍ୱ ମୋ ରାଜ୍ୟକୁ ଜାଣିବ । ପରଦିନ ଲିଫ୍ଟ ରେ ଝିଅକୁ ସ୍କୁଲକୁ ନେଇଯିବା ସମୟରେ ଦେଖିଲି ଜଣେ ଗୋରୀ ତରୁଣୀକୁ (ଫରେନର୍) । ଏକ ସ୍ମିତହାସ୍ୟ ଦେବା ପରେ ସେ ମୋତେ ପଚାରିଲେ ମୋର ଦେଶ କେଉଁଠି ? ମୁଁ କହିଲି ଇଣ୍ଡିଆ । ତା’ପରେ ସେ ପଚାରିଲେ କେଉଁ ରାଜ୍ୟର ମୁଁ ଅଧିବାସୀ । ମୁଁ କହିଲି ମୁଁ ଓଡ଼ିଆ । ମୋ ଘର ଓଡ଼ିଶାରେ । ଏହା କହୁ କହୁ ସେ ଆହୁରି ଖୁସି ହୋଇଗଲେ । ଆଉ ହସ ହସ ମୁହଁରେ କହିଲେ, “ଆଚ୍ଛା ତାହାହେଲେ ଆପଣ ସେହି ରାଜ୍ୟର ଯିଏ ମେନ୍ସ ହକି ୱାର୍ଲ୍ଡ କପ ଆୟୋଜନ କରିଛି । କାଲି ଟିଭିରେ ଦେଖିଲୁ । ବହୁତ ଭଲ ଲାଗିଲା । ଆଉ ଥରେ ଭାରତ ଗଲେ ଓଡ଼ିଶା ନିଶ୍ଚିତ ଯିବୁ । ସେ ଭଦ୍ର ମହିଳା ଥିଲେ ଦକ୍ଷିଣ ଆଫ୍ରିକାର ବାସିନ୍ଦା, ଯାହାଙ୍କ ଦଳ ହକି ର ପ୍ରଥମ ମ୍ୟାଚରେ ଭାରତ ଠାରୁ ପରାସ୍ତ ହୋଇଥିଲା
(ସୁଧାଶ୍ରୀ ଦାଶ, ଇ ଟିଭିର ପୂର୍ବତନ ସାମ୍ବାଦିକ ଓ ବର୍ତ୍ତମାନ ଦୁବାଇ ରେ ଉପସ୍ଥାପିତ। ଜଣେ ପ୍ରବାସୀ ଓଡିଆ ଭାବରେ ତାଙ୍କର ଏ ଅନୁଭବ ସ୍ବଦେଶରେ ରହୁଥିବା ପ୍ରତ୍ୟେକ ଓଡିଆ ପାଇଁ ଏକ ବିରଳ ଗୌରବର ମୁହୂର୍ତ୍ତ)