ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରାଣିପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି ଏହାର ବ୍ୟବସାୟକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଦ୍ୱାରା ମାଛ, ମାଂସ, ଦୁଗ୍ଧ ଉତ୍ପାଦନ ବହୁଗୁଣା ବୃଦ୍ଧି ପାଇବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଚାଷୀଙ୍କ ଆୟବୃଦ୍ଧି ହୋଇପାରୁଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ଜନତା ମଇଦାନଠାରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ର ଦ୍ୱିତୀୟ ଦିବସର ପୂର୍ବାହ୍ନ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଛଚାଷ ଦ୍ୱାରା ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା ସହିତ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଲକ୍ଷ୍ୟକୁ ସାଧିତ କରିପାରିଛି ।
କୃତି୍ରମ ପ୍ରଜନନ, ମୋବାଇଲ୍ ଭେଟେରିନାରୀ ୟୁନିଟ୍, ବାୟୋଫ୍ଲକ୍ ଓ କେଜ୍ କଲଚର ପଦ୍ଧତିରେ ମାଛଚାଷ ଯୋଗୁ ରାଜ୍ୟରେ ଦୁଗ୍ଧ, କୁକୁଡ଼ା, ଅଣ୍ଡା, ମାଂସ ଓ ମାଛ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଅଧିବେଶନରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଧିକ୍ ଆଲାମ୍ କହିଲେ ଯେ ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୫ ଗୁଣ ବୃଦ୍ଧି ପାଇଥିବାବେଳେ ମାଛ ଜାଆଁଳ ଉତ୍ପାଦନ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓମ୍ଫେଡ୍ର ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନି କହିଲେ ଯେ ଅଧିକରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଓମ୍ଫେଡ୍ର ପରିସରଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥି ସହିତ ବିଭିନ୍ନ ସ୍ଥାନରେ ଅଧିକ ଦୁଗ୍ଧ ପ୍ରକ୍ରିୟାକରଣ ଓ ଗୋଖାଦ୍ୟ କାରଖାନା ପ୍ରତିଷ୍ଠା ନିମନ୍ତେ ଗୁରୁତ୍ୱାରୋପ କରାଯାଇଛି।
ଅଧିବେଶନରେ ଫିସ୍ଫେଡ୍ର ସଭାପତି ଶ୍ରୀମତୀ ସସ୍ମିତା ରାଉତ ରାଜ୍ୟର ସମସ୍ତ ଜିଲ୍ଲାରେ ଚିଲିକା ଫ୍ରେସ୍ ଆଉଟ୍ଲେଟ୍ ଖେଲିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ କଟକ ଜିଲ୍ଲା ମହିଳା ଚାଷୀ ଶ୍ରୀମତୀ ଶାନ୍ତିଲତା ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ମହିଳା ଚାଷୀ ସୌଭାଗ୍ୟଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟର ଚମ୍ପିଅନ୍ ଘୋଷିତ ପାଣିପାଳକ ଓ ମାଛଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀମାନଙ୍କୁ ସବ୍ସିଡି ରାଶିର ଚେକ୍ ପ୍ରଦାନ କରାଯାଇଥିଲା।
ସେହିପରି ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଓ ଅନୁକୂଳ କୃଷିନୀତି ଯୋଗୁ ଓଡ଼ିଶା ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଭାରତବର୍ଷରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ମଡେଲ ରାଜ୍ୟର ମାନ୍ୟତା ହାସଲ କରିପାରିଛି।
ମାଛଚାଷ ଓ ପ୍ରାଣିପାଳନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ପ୍ରସ୍ତୁତ କରାଯାଇ ଆକର୍ଷଣୀୟ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି, ଯାହାର ଉପଯୋଗ କରି ଚାଷୀମାନେ ଲାଭବାନ ହୋଇପାରିବେ। ମତ୍ସ୍ୟଜୀବୀମାନଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଲିଭ ରିଡ୍ଲେ ଅଣ୍ଡା ଦେବା ଋତୁରେ ପ୍ରଭାବିତ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ପ୍ରାଣିମଙ୍ଗଳ ନୀତି ଯୋଗୁ ଗୋଶାଳାମାନଙ୍କୁ ଦିଆଯାଉଥିବା ସହାୟତା ରାଶି ପ୍ରାଣିପାଳକମାନଙ୍କ ଅବସ୍ଥାରେ ଉନ୍ନତି ଆଣିପାରିଛି ବୋଲି ସେ କହିଥିଲେ।
ଅଧିବେଶନରେ ପୌରୋହିତ୍ୟ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମତ୍ସ୍ୟ ଓ ପ୍ରାଣିପାଳନ ଗ୍ରାମାଞ୍ଚଳର ଲୋକମାନଙ୍କୁ ବର୍ଷସାରା ରୋଜଗାର ଦେବା ସହିତ ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିଛି। ମତ୍ସ୍ୟ-ପ୍ରାଣୀ ସମାବେଶ ମତ୍ସ୍ୟଚାଷୀମାନଙ୍କୁ ନୂତନ ଜ୍ଞାନକୌଶଳ ବ୍ୟବହାର ନିମନ୍ତେ ନିଶ୍ଚିତ ରୂପେ ପ୍ରୋତ୍ସାହିତ କରିବ। ସେହିପରି ସେକ୍ସ ସର୍ଟେଡ ସିମେନ୍ ଦ୍ୱାରା କୃତି୍ରମ ପ୍ରଜନନରେ ପ୍ରାଣିପାଳକମାନେ ବହୁଳ ଭାବରେ ଉପକୃତ ହେଉଛନ୍ତି ବୋଲି ସେ କହିଥିଲେ।
ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖାଦ୍ୟ କମିଶନର ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜ୍ରା, ଓପିଡିସିର ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ପାତ୍ର ଓ ଓପୋଲେଫେଡ୍ର ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଛଚାଷ ଓ ପ୍ରାଣିପାଳନ କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ।
ସମାବେଶ ଅବସରରେ ଚମ୍ପିଅନ୍ ମାଛଚାଷୀ ଓ ପ୍ରାଣିପାଳକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଯୋଗୁ ମତ୍ସ୍ୟ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉଦ୍ୟୋଗୀମାନଙ୍କୁ ସବ୍ସିଡି ରାଶିର ଚେକ୍ ପ୍ରଦାନ କରାଯାଇଥିଲା। ପୁରୀର ମହିଳା ଚାଷୀ ସୁଶ୍ରୀ ସୀମା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବାଲେଶ୍ୱରର ମହିଳା ଚାଷୀ ଶ୍ରୀମତୀ ଶୁଭସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ ସମାବେଶ ଅବସରରେ ସିଏସ୍ଆଇଆର୍-ଏନ୍ଆଇଓ, ଗୋଆ ସହିତ ରାଜ୍ୟ ସରକାରଙ୍କ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ରାଜ୍ୟର ୯୩ଟି ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଆର୍ଟିଫିସିଆଲ୍ ରିଫ୍ ସ୍ଥାପନ କରାଯିବ। ଏହା ସମୁଦ୍ରରେ ମାଛର ସାମୁଦି୍ରକ ବାସସ୍ଥାନ ତଥା ଜୈବବିବିଧତାକୁ ପ୍ରୋତ୍ସାହିତ କରିବ। ଏଥି ସହିତ ସମୁଦ୍ର ତଟ ସୁରକ୍ଷା, ପର୍ଯ୍ୟଟନ, ମତ୍ସ୍ୟ ଉତ୍ପାଦନ, ସାମୁଦି୍ରକ ପରିବେଶର ସୁରକ୍ଷା ସହିତ ନିରନ୍ତର ମତ୍ସ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ। ୨୮ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯିବ।