ଟାଙ୍ଗୀ ତହସିଲ ନିକଟରୁ ପ୍ରାଚୀନ ବୌଦ୍ଧକୀର୍ତ୍ତିର ସନ୍ଧାନ କଲା ଇନଟାକ, ପୋତି ହୋଇ ରହିଛି ମନ୍ଦିର

Published: Feb 18, 2024, 10:58 am IST
baudha

ଭୁବନେଶ୍ବର: ଇଣ୍ଡିଆନ ନାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନଟାକ) କଟକ ଶାଖାର ସଦସ୍ୟମାନେ ବିରୂପା ନଦୀ କୂଳରେ ଅତି ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ କରିଛନ୍ତି।

କଟକ ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଭୁକ୍ତ ଗଣେଶ୍ୱରପୁର ଗ୍ରାମର ଧାନଗହୀର ମଧ୍ୟସ୍ଥ ଏକ ଛୋଟ ମାଟି କୁଦ ଉପରୁ ବୌଦ୍ଧଧର୍ମ ସହ ଜଡିତ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ମିଳିଛି। ଇନଟାକର ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ପ୍ରତ୍ନତାତ୍ତ୍ୱିକ ସର୍ଭେରେ ବିଶ୍ୱଜିତ ମହାନ୍ତି, ରିତୁ ପଟ୍ଟନାୟକ, ଦୀପକ କୁମାର ନାୟକ, ସୁମନ ପ୍ରକାଶ ସ୍ୱାଇଁ ଓ ଅନିଲ ଧୀର ସାମିଲ ଥିଲେ।

ଏହି ସମ୍ପର୍କରେ ଅଧିକ ସୂଚନା ଦେଇ ଇନଟାକ କଟକ ଶାଖାର ସହ-ଆବାହକ ଦୀପକ କୁମାର ନାୟକ କହିଥିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସନ୍ଧାନ ଅଟେ। ବିରୂପା ନଦୀର ଉଭୟ ଧାରରେ ଅନେକ ବୌଦ୍ଧ ଉପାସନାସ୍ଥଳୀ ଦେଖିବାକୁ ମିଳନ୍ତି।

ଏହି ସ୍ଥାନରୁ ଆମକୁ ମିଳିଥିବା ବୃହତ ଆକୃତି ମସ୍ତକବିହୀନ ପଥର ମୂର୍ତ୍ତିଟି (ପ୍ରାୟ ୫ ଫୁଟ ଉଚ୍ଚତା) ବୌଦ୍ଧଧର୍ମର ଦେବତା ଅବଲୋକିତେଶ୍ଵର ହୋଇପାରନ୍ତି। ମୂର୍ତ୍ତିର ମସ୍ତକ ନଥିଲେ ମଧ୍ୟ ନିମ୍ନ ଭାଗରେ ଖୋଦିତ କାରୁକାର୍ଯ୍ୟ ଓ ଦେବତାମାନଙ୍କ ଉପସ୍ଥିତିକୁ ଅନୁଧ୍ୟାନ କଲେ ଏହାର ସାମାଞ୍ଜସ୍ୟ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ବୌଦ୍ଧବିହାର ସମୂହରେ ଦେଖିବାକୁ ମିଳୁଥିବା ଅବଲୋକିତେଶ୍ୱର ମୂର୍ତ୍ତିଗୁଡିକ ସହ ରହିଛି।

ଇନଟାକ ରାଜ୍ୟଶାଖାର ସହ-ଆବାହକ ଅନିଲ ଧୀରଙ୍କ ମତରେ ନଦୀ ଆରପାରିରେ ଅବସ୍ଥିତ ରାମେଶ୍ୱର ଗ୍ରାମରେ ମଧ୍ୟ ଏକ ବୌଦ୍ଧ ସ୍ତୁପ ରହିଛି। ଏହି ସ୍ଥାନରେ ଥିବା ବୌଦ୍ଧବିହାରଟି ହନୁମଞ୍ଚେଶ୍ୱର ମହାଦେବଙ୍କ ପୀଠ ରୂପେ ଏବେ ପୂଜିତ। ପୁରାତନ ସମୟରେ ଏହି ଅଞ୍ଚଳରେ ବୌଦ୍ଧଧର୍ମ ବିଶ୍ୱାସ ଓ ଧାର୍ମିକ ଉପାସନା ଚାଲୁଥିଲା ବୋଲି ଏଥିରୁ ଜଣାଯାଏ।

ଏଠାରେ ଥିବା ବୌଦ୍ଧକୀର୍ତ୍ତି ରାଜିର ଗଠନ ସମୟର ସଠିକ ଆକଳନ ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି, ତେବେ ଅନ୍ୟ ସ୍ଥାନରୁ ପ୍ରାପ୍ତ ଅବଲୋକିତେଶ୍ଵରଙ୍କ ମୂର୍ତ୍ତିମାନଙ୍କ ସହ ତୁଳନା ଆଧାରରେ ଏହା ପ୍ରାୟ ନବମ ଶତାବ୍ଦୀରୁ ପୂର୍ବ ସମୟର ହୋଇପାରେ ବୋଲି ଆମର ଅନୁମାନ।

ଇନଟାକ କଟକ ଶାଖାର ବରିଷ୍ଠ ସଦସ୍ୟ ଡ଼. ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ବିରୁପା ନଦୀ ଧାରର ଅତି ନିକଟରେ ଅବସ୍ଥିତ ହୋଇଥିବାରୁ ବାରମ୍ବାର ବନ୍ୟାରେ ଏହି ବୌଦ୍ଧସ୍ଥଳୀଟି ବିଲୀନ ହୋଇଯାଇ ପାରିଥାଏ। ଏହାବ୍ୟତୀତ ଆମେ ଆଖପାଖରେ ଅନେକ ଇଚ୍ଛାକୃତ ଭାବେ ନଷ୍ଟ କରାଯାଇଥିବା ପୁରାତନ ମୂର୍ତ୍ତି ସବୁ ପାଇଥିଲୁ।

ଏସବୁ ମୋଗଲ-ଆଫଗାନ ରାଜୁତି ସମୟରେ ଓଡିଶା ଉପରେ ହୋଇଥିବା ହିନ୍ଦୁ ମୂର୍ତ୍ତି ନଷ୍ଟକାରୀମାନଙ୍କ ଆକ୍ରମଣ ଯୋଗୁଁ ନଷ୍ଟ ହୋଇଥିବା ସମ୍ଭବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ଥାନୀୟ ଲୋକକଥା ଅନୁସାରେ ଏହି ଗ୍ରାମର ପାଞ୍ଚପାଣ୍ଡବ ମନ୍ଦିର ଓ ତାରେଶ୍ୱର ମହାଦେବଙ୍କ ମନ୍ଦିର ଦୁଇଟି ଷୋଡଶ ଶତାବ୍ଦୀରେ କଳାପାହାଡ଼ର ଆକ୍ରମଣ ସମୟରେ ଧ୍ବଂସପ୍ରାପ୍ତ ହୋଇଥିଲା।

ଏଠାରେ ଦୃଶ୍ୟମାନ ଧ୍ବଂସପ୍ରାପ୍ତ ମନ୍ଦିରର ଢାଞ୍ଚା, ପ୍ରସ୍ତର ଖଣ୍ଡ ଓ ପୋଡାଇଟାସବୁ ଏହି ମାଟିକୁଦ ତଳେ ଏକ ବୌଦ୍ଧ ମନ୍ଦିର ଅଥବା ସ୍ତୁପ ପୋତି ହୋଇ ରହିଥିବାର ସମ୍ଭାବନା ସୃଷ୍ଟି କରୁଛନ୍ତି। ଇଣ୍ଟାକର ସର୍ଭେ ଦଳ ଏଠାରୁ ଅନେକ ଭଙ୍ଗା ଖପରା ଓ ନାଲି-କଳା ରଙ୍ଗର ଭଗ୍ନ ମାଟିପାତ୍ରର ଅଂଶ ଦେଖିବାକୁ ପାଇଥିଲେ।

ଖୁବ ଶୀଘ୍ର ଏଠାରେ ଅଧିକ ପୁଙ୍ଖାନୁପୁଙ୍ଖ ଗବେଷଣା କରିବାକୁ ସେମାନଙ୍କ ଟିମ ପଠେଇବାକୁ ଏ.ଏସ.ଆଇ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସଂସ୍କୃତି ବିଭାଗକୁ ଆମେ ସୂଚନା ପ୍ରଦାନ କରିବୁ ବୋଲି କଟକ ଇଣ୍ଟାକ ଶାଖାର ଆବାହକ ଇଂ. ଗୋପାଳକୃଷ୍ଣ ବେହେରା କହିଛନ୍ତି।

Related posts