ମନୀଷ ସିସୋଦିଆଙ୍କୁ ମିଳିଲା ନାହିଁ ଆଶ୍ଵସ୍ତି, ଜୁଲାଇ ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବୃଦ୍ଧି କଲେ କୋର୍ଟ

Published: May 31, 2024, 3:10 pm IST

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ବରିଷ୍ଠ ଆମ୍ ଆମି ପାର୍ଟି ନେତା ମନୀଷ ସିସୋଦିଆ ଆଜି କୋର୍ଟରୁ କୌଣସି ଆଶ୍ଵସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ ତାରିଖରେ ମଧ୍ୟ କୋର୍ଟରେ ଅନୁଷ୍ଠିତ ହେବ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ AAP ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ସଞ୍ଜୟ ସିଂ ଏବଂ କେ କବିତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର କପି ଅଭିଯୁକ୍ତଙ୍କୁ ଦେବାକୁ ରାଉସ୍ ଆଭେନ୍ୟୁ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଦିନ ଦିଲ୍ଲୀର ଗୋଟିଏ କୋର୍ଟ ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯାଉଥିବା ଏକ୍ସାଇଜ୍ ପଲିସି ସ୍କାମରେ ଏଏପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନିକଟରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଜଷ୍ଟିସ ସ୍ଵର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ ପାଇଁ ଆବେଦନକାରୀ ଟ୍ରିପଲ ଟେଷ୍ଟ ଏବଂ ମନି ଲଣ୍ଡରିଂ ଆକ୍ଟ (PMLA), ୨୦୨୨ ଅନୁଯାୟୀ ଆବଶ୍ୟକ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ମନୀଷ ସିସୋଦିଆ ଟ୍ରାଏଲ କୋର୍ଟ ଦ୍ୱାରା ସ୍ଥିର କରାଯାଇଥିବା ସର୍ତ୍ତ ଆଧାରରେ ପ୍ରତି ସପ୍ତାହରେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ।

Related posts