ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଏବେ ଆସିବେ ୟୁଟ୍ୟୁବ ଚ୍ୟାନେଲରେ, ଯାହାର ନାମ ରହିଛି..

Published: Sep 9, 2024, 5:46 pm IST

ଭୁବନେଶ୍ବର: ଦେଶର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଏବେ ୟୁଟ୍ୟୁବ ଚ୍ୟାନେଲରେ ଆସିବେ। ସେଥିପାଇଁ ସେ ନିଜେ କରିଛନ୍ତି ଏକ ୟୁଟ୍ୟୁବ ଚ୍ୟାନେଲ ଯାହାର ନାମ ରହିଛି ‘ମୁଁ ରୁବେନ କହୁଛି।’ ଓଡିଆରେ ପ୍ରସାରଣ ହେବାକୁ ଥିବା ଏହି ଚ୍ୟାନେଲରେ ଓଡିଶା ରାଜନୀତି ଉପରେ ବିଶେଷ ଭାବେ ପ୍ରସାରଣ କରାଯିବ। ପୂର୍ବରୁ ବିଭିନ୍ନ ପ୍ରସଂଗରେ ଓଡିଶା ରାଜନୀତି ଉପରେ ନିଜର ମତ ଦେଇ ରୁବେନ ଚର୍ଚ୍ଚାରେ ଅଛନ୍ତି।

ନୂଆଦିଲ୍ଲୀରେ ରହୁଥିବା ରୁବେନ ଓଡିଶାରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଛନ୍ତି। ସେ ଏକଦା ନବୀନ ପଟ୍ଟନାୟକଙ୍କ ସହିତ ବେଶ ଘନିଷ୍ଠ ଥିଲେ। ସେହି ସମୟର ସଂପର୍କକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ବହୁ ବର୍ଷ ତଳେ ସେ ଓଡିଶାରେ ଇଣ୍ଡିଆ ଟୁଡେର ରିପୋର୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ‘ଅଲ ଜରଜିରା’, ‘ହିନ୍ଦୁସ୍ଥାନ ଟାଇମସ’ ଏବଂ ଶେଷରେ ‘ଆଉଟ ଲୁକ’ ପରି ପତ୍ରିକାର ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି।

ବର୍ତ୍ତମାନ ଓଡିଶାରେ ବରିଷ୍ଠ ସାମ୍ବାଦିକ ନୀବନ ଦାସ, ସତ୍ୟପ୍ରକାଶ ନାୟକ, ସନ୍ଦୀପ ସାହୁ ପରି ଅନେକ ନିଜର ୟୁଟ୍ୟୁବ ଚ୍ୟାନେଲ କରି ନିଜର ମତ ରଖୁଛନ୍ତି। ଯାହା ଦର୍ଶକଙ୍କ ଦ୍ବାରା ବେଶ ଆଦୃତ ହେବାରେ ଲାଗିଛି। ସେହିପରି କ୍ଷେତ୍ରରେ ରୁବେନଙ୍କ ଏହି ଚ୍ୟାନେଲ ମଧ୍ୟ ବେଶ ଆଦୃତ ହେବ ବୋଲି ସେ ନିଜେ ଆଶାବାଦୀ ଅଛନ୍ତି। ଏନେଇ ରୁବେନ ଏକ ପ୍ରମୋ ଭିଡିଓ ୟୁଟ୍ୟୁବରେ ଛାଡିଛନ୍ତି।

Related posts