ହଠାତ ମୋର ପୋଲିସ ପୋଷାକ ଚାଲିଯିବ ମୁଁ ମାନସିକ ସ୍ତରରେ କେବେ ପ୍ରସ୍ତୁତ ନ ଥିଲି, ଅରୁଣ ଷଡଙ୍ଗୀ

Published: Oct 7, 2024, 3:11 pm IST

ଭୁବନେଶ୍ବର: ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି ନ ଥିଲେ। ସେ ଏପରି ପରିସ୍ଥିତିକୁ ସାମନା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ। ଆସନ୍ତାକାଲିଠାରୁ ମୁଁ ଆଉ ପୋଲିସ ପୋଷାକ ପିନ୍ଧିପାରିବି ନାହିଁ, ଏହା ଭାବିଲେ ବହୁତ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅରୁଣ ଷଡଙ୍ଗୀ।

ଆଜି ଅରୁଣ ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେଠାରେ ସେ ସମ୍ବୋଧନ କରି କହିଛନ୍ତି ଯେ, ଆମମାନଙ୍କର ପୋଲିସ ପୋଷାକ ପ୍ରତି ବିଶେଷ ଦୁର୍ବଳତା ଥାଏ। ଏହି ପୋଷାକ ପିନ୍ଧି କାମ କରିବାର ଆଗ୍ରହ ଥାଏ। ହେଲେ ଆସନ୍ତାକାଲିଠାରୁ ଏହି ପୋଷାକ ଆଉ ମୁଁ ପିନ୍ଧିପାରିବି ନାହିଁ ବୋଲି ଷଡଙ୍ଗୀ କହିଛନ୍ତି। ଏକାଡେମୀ ତରଫରୁ ତାଙ୍କୁ ବିଦାୟ କାଳିନ ପରେଡରେ ଅଭିବାଦନ ପ୍ରଦାନ କରାଯାଇଥିଲା।

ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀଙ୍କର ଆଉ 10 ମାସ ଚାକିରୀ କାଳ ଥିଲା। ହେଲେ ରାଜ୍ୟ ସରକାର ତାଙ୍କୁ ଓପିଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଦେଲେ। ଫଳରେ ଅରୁଣ ଷଡଙ୍ଗୀ ଭିଆରସ ନେବାକୁ ବାଧ୍ୟ ହୋଇଛନ୍ତି। ଗତକାଲି ତାଙ୍କର ଭିଆରଏସକୁ ରାଜ୍ୟ ସରକାର ମଂଜୁରୀ କରିଛନ୍ତି।

Related posts