ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଆଗରେ ନଇଁଲା ପାକିସ୍ତାନ, ଏହି ପ୍ରସଙ୍ଗ ଉପରେ ହେଲା ରାଜି!

Published: Nov 8, 2024, 11:50 am IST

ନୂଆଦିଲ୍ଲୀ: ଦିନ ବଢିବା ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ନିକଟତର ହେବାକୁ ଯାଉଛି, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମ୍ୟାଚ୍ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ ହୋଇନାହିଁ? ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଭାରତୀୟ ଦଳ ରାଜି ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଣ୍ଡ ନୂଆଁଉଥିବା ଦେଖାଯାଉଛି।

ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଜିଦ୍ ଧରିଥିଲା ​​ଯେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସମେତ ସମସ୍ତ ଦଳର ମ୍ୟାଚ୍ କେବଳ ପାକିସ୍ତାନରେ ଖେଳାଯିବ, କାରଣ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ। କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆର ମନୋଭାବ ଦେଖି ପାକିସ୍ତାନ ବୋର୍ଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ ପରିବର୍ତ୍ତନ କରିବାକୁ ରାଜି ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ଟୁର୍ଣ୍ଣାମେଣ୍ଟରେ ଭାରତର ମ୍ୟାଚ୍ ଶାରଜା କିମ୍ବା ଦୁବାଇରେ ଖେଳାଯାଇପାରିବ।

ପିସିବି ଅନୁଭବ କରୁଛି ଯେ, ଯଦି ଭାରତ ସରକାର ପାକିସ୍ତାନ ଗସ୍ତକୁ ଅନୁମୋଦନ ନକରନ୍ତି, ତେବେ କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହୋଇପାରେ, କାରଣ ଦୁବାଇ କିମ୍ବା ଶାରଜାଠାରେ ଭାରତ ଖେଳିବାର ସମସ୍ତ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆସନ୍ତା ସପ୍ତାହ ସୁଦ୍ଧା ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଆଇସିସି ଉପରେ ଜିଦ୍ ଧରିଛି। କାର୍ଯ୍ୟସୂଚୀ ସମ୍ପର୍କରେ ସୂତ୍ର କହିଛନ୍ତି ଯେ, ଆଇସିସିକୁ କିଛି ମାସ ପୂର୍ବରୁ ପଠାଇଥିବା ଅସ୍ଥାୟୀ କାର୍ଯ୍ୟସୂଚୀ ବିଷୟରେ ପିସିବି ଆଲୋଚନା କରିଛି ଏବଂ ସେମାନେ ଚାହୁଁଛନ୍ତି ଯେ, ସେହି କାର୍ଯ୍ୟସୂଚୀ ନଭେମ୍ବର ୧୧ ତାରିଖରେ ଘୋଷଣା କରାଯାଉ।

ତେବେ ଏହି ହାଇବ୍ରିଡ୍ ମଡେଲ୍ ସମ୍ବନ୍ଧରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ। ଏହାପୂର୍ବରୁ ୨୦୨୩ରେ ଖେଳାଯାଇଥିବା ଏସିଆ କପ୍ ର ପାକିସ୍ତାନ ମଧ୍ୟ ଆୟୋଜକ ଥିଲା, କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନଥିଲା ଏବଂ ସେହି କ୍ଷେତ୍ରରେ ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଖେଳାଯାଇଥିଲା।

Related posts