ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ୧୫ ସଦସ୍ୟ ବିଶିଷ୍ଟ ଦଳ, ଶୁବମାନ ଗିଲଙ୍କୁ ବଡ଼ ଦାୟିତ୍ଵ

Published: Jan 18, 2025, 3:57 pm IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଦଳ ଘୋଷଣା କରିଛନ୍ତି। ରୋହିତ ଦଳର ଅଧିନାୟକ ରହିବେ, ଶୁଭମାନ ଗିଲ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଭାରତୀୟ ଦଳ ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ସହିତ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ।

ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଥିଲେ ମଧ୍ୟ ମହମ୍ମଦ ସିରାଜ ଦଳରେ ସ୍ଥାନ ନ ପାଇବା ଆଶ୍ଚର୍ଯ୍ୟଜନକ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ବିଜୟ ହଜାରେ ଟ୍ରଫିରେ ୮ ଟି ମ୍ୟାଚରେ ୭୫୨ ରନ୍ ସ୍କୋର କରିଥିବା କରୁଣ ନାୟାର ମଧ୍ୟ ଅନେକ ଖବରରେ ରହିଛନ୍ତି, ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ମଧ୍ୟ ଦିଆଯାଇ ନାହିଁ। ଅଜିତ ଅଗରକର ଏହା ମଧ୍ୟ କହିଛନ୍ତି ଯେ, ଜସପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି, ତେଣୁ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ହର୍ଷିତ ରାଣାଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦିଆଯାଉଛି।

ବ୍ୟାଟିଂର ଭାର ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ, ଯଶସ୍ୱୀ ଜୟସ୍ଵାଲ ଏବଂ ଋଷଭ ପନ୍ତଙ୍କ ଉପରେ ରହିବ। ଜୟସ୍ୱାଲଙ୍କୁ ବ୍ୟାକଅପ୍ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ବ୍ୟବହାର କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଯେହେତୁ ସେ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି, ସେ ଚାମ୍ପିଅନ୍ସ ଟ୍ରଫିରେ ନିଜର ODI ଡେବ୍ୟୁ କରିବାର ସୁଯୋଗ ପାଇବେ କି ନାହିଁ ତାହା ଦେଖିବା ମଜାଦାର ହେବ।

ଟି -୨୦ ମ୍ୟାଚ୍‌ରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଥିବା ଅର୍ଶଦୀପ ସିଂ ODI ଦଳକୁ ଫେରିବାକୁ ଯାଉଛନ୍ତି। ସେ ଶେଷ ଥର ପାଇଁ ଡିସେମ୍ବର ୨୦୨୩ ରେ ଭାରତ ପାଇଁ ସେ ଗୋଟିଏ ODI ମ୍ୟାଚ୍ ଖେଳିଥିଲେ। ବୋଲିଂ ବିଭାଗ ମହମ୍ମଦ ଶାମି, ଅର୍ଶଦୀପ ସିଂ, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମ୍ରା ପରିଚାଳନା କରିବେ।

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ଵାଲ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା।

Related posts