କାଲି ଦଳକୁ ଆସି ଆଜି ନିଜକୁ ସର୍ବେସର୍ବା ଭାବିବା ଠିକ ନୁହେଁ, ଏମିତି କାହିଁକି କହିଲେ ଦେବାଶୀଷ ସାମନ୍ତରାୟ

Published: Jan 24, 2025, 1:13 pm IST

ଭୁବନେଶ୍ବର: କାଲି ଯିଏ ଦଳକୁ ଆସିଛି, ଆଜି ସିଏ ସର୍ବେସର୍ବା ଭାବୁଛି। ଏହା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ। ଗତକାଲି ତାଙ୍କ ଘରେ ବିଜେଡିର ବହୁ ପୂର୍ବତନ ବିଧାୟକ ତଥା ବିଧାୟକ ଏକାଠି ହୋଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଦେବାଶୀଷ ଏହା କହିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ଦଳକୁ ଯୁବ ନେତାମାନେ ଆଗକୁ ନେବେ। ସେମାନେ ମଙ୍ଗ ଧରିବେ। ଆମର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ଦେବାଶୀଷ କହିଛନ୍ତି। ଆପଣଙ୍କ ଘରେ କାହିଁକି ମେଳି କରିଥିଲେ ବୋଲି ପଚାରିବାରୁ ସେ କହିଥିଲେ ଯେ, ଯୁବ ପିଢୀଙ୍କୁ ନେଇ ଦଳ କିପରି ଆଗକୁ ଯିବ ସେ ନେଇ ଆଲୋଚନା କରୁଥିଲୁ।

ଗତକାଲି ନେତାଜୀ ଜୟନ୍ତି ଅବସରରେ ବିଜେଡି ତରଫରୁ କଟକରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଦେବାଶୀଷ ସାମନ୍ତରାୟଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି ନେତା ଯୋଗ ଦେଇଥିଲେ।

ସେମାନେ ହେଲେ ଦେବୀରଂଜନ ତ୍ରିପାଠୀ, ପୁରୀ ବିଧାୟକ ସୁନୀଲ ମହାନ୍ତି, ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପୂବର୍ତନ ବିଧାୟକ ଅଂଶୁମାନ ମହାନ୍ତି, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରା ଆଦିତ୍ୟ ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ।

ତେବେ ଏହି ବୈଠକରେ ମେୟର ସୁବାସ ସିଂହ, ଚୌଦ୍ବାର-କଟକ ବିଧାୟକ ‌ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ‌ପ୍ରଭାତ ରଂଜନ ବିଶ୍ବାଳ ପ୍ରମୁଖ ଯୋଗଦେଇ ନ ଥିଲେ। ତେବେ ଦେବାଶୀଷ କହିଥିବା ‘କାଲି ଦଳକୁ ଆସି ଆଜି ନିଜକୁ ସର୍ବେସର୍ବା ଭାବିବା ଠିକ ନୁହେଁ’ କାହାକୁ ଇଙ୍ଗିତ କରି କହିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।

Related posts