![supreme-court](https://thesamikhsya.com/odia/wp-content/uploads/2023/11/supreme-court.jpg)
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜନୈତିକକ ଦଳଗୁଡିକ ଦ୍ୱାରା ମାଗଣା ସୁବିଧା ଘୋଷଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି କୋର୍ଟ କହିଛନ୍ତି ଯେ, ମାଗଣା ସୁବିଧା ହେତୁ ଅନେକ ଲୋକ କାମ କରିବାକୁ ଚାହାଁନ୍ତି ନାହିଁ। ଏହିପରି ଦେଶରେ ଏକ ନୂତନ ଶ୍ରେଣୀର ପରଜୀବୀ ସୃଷ୍ଟି ହେଉଛନ୍ତି। ସହରରେ ରହୁଥିବା ଭୂମିହୀନ ଲୋକଙ୍କୁ ରାତ୍ରି ଆଶ୍ରୟ ଦେବା ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
ସହରାଞ୍ଚଳ ଭୂମିହୀନଙ୍କୁ ରାତ୍ରି ଆଶ୍ରୟ ଦେବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଦୀର୍ଘ ବର୍ଷ ଧରି ବିଚାରାଧୀନ ଅଛି। ଏହି ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କୋର୍ଟଙ୍କୁ କହିଛନ୍ତି ଯେ, ସହରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଚୂଡାନ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସହରରେ ରହୁଥିବା ଗରିବଙ୍କ ଘର ସମେତ ଅନେକ ସମସ୍ୟାର ସମାଧାନ ଖୋଜିବା ପାଇଁ ପ୍ରୟାସ କରାଯିବ।
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭଇ ଏବଂ ଅଗଷ୍ଟିନ୍ ଜର୍ଜ ମସିହଙ୍କ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କୁ ସରକାରଙ୍କଠାରୁ ନିର୍ଦ୍ଦେଶ ନେବାକୁ ଏବଂ ଏହି କାର୍ଯ୍ୟକ୍ରମ କେବେ କାର୍ଯ୍ୟକାରୀ ହେବ ତାହା ଜଣାଇବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ୬ ସପ୍ତାହ ପରେ ହେବ ବୋଲି ବିଚାରପତିମାନେ କହିଛନ୍ତି। ଏହି ସମୟ ମଧ୍ୟରେ ବିଚାରପତିମାନେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, ମାଗଣା ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ସହିତ ଯୋଡ଼ିବା ପାଇଁ ଉଦ୍ୟମ କରାଯିବା ଉଚିତ୍।
ସୁପ୍ରିମକୋର୍ଟ କହିଛନ୍ତି ଯେ, ବିନା କାମରେ ଲୋକଙ୍କୁ ମାଗଣା ରାସନ ଏବଂ ଟଙ୍କା ଦେବା ଠିକ୍ ନୁହେଁ। ସରକାର ଏହି ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା କରିବା ଉଚିତ, ଯାହା ଦ୍ଵାରା ସେମାନେ ଦେଶର ବିକାଶରେ ମଧ୍ୟ ସହଭାଗୀ ହୋଇପାରିବେ।