
ଭୁବନେଶ୍ଵର: ପ୍ରତ୍ୟେକ ମହିଳା ମାନଙ୍କ ମଧ୍ୟରେ ପ୍ରତିଭା ରହିଛି। ଏହାର ଉପଯୋଗ କରି ସେମାନେ ଜଣେ ଜଣେ ଉଦ୍ୟୋଗୀ ହୋଇ ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ତାଳବଣିଆ ଜିଲ୍ଲା ଷ୍ଟାଡିୟମ ଠାରେ ପୁରୀ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନ ଓ ବଜାର ସୃଷ୍ଟି ପାଇଁ ଏହି ମେଳାର ଆୟୋଜନ।
ରାଜଧାନୀ ଭୁବନେଶ୍ବର ସହ ପୁରୀକୁ ମିଶାଇ ଅନ୍ୟ ୫ ଜିଲ୍ଲାରେ ଏହି ମେଳା ଆୟୋଜିତ ହେଉଛି। ମହିଳା ମାନଙ୍କୁ ପ୍ରଶିକ୍ଷଣ ସହ ପ୍ରତି ଗ୍ରାମରେ ଅନ୍ୟୁନ ୫ ଜଣ ମହିଳାଙ୍କୁ ଲକ୍ଷପତି କରିବାର ଲକ୍ଷ୍ୟ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ମେଳା ଆଗାମୀ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଏଥିରେ ୧୫୦ରୁ ଉର୍ଦ୍ଧ ଷ୍ଟଲ ରହିଅଛି। ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶକ ତଥା ସିଇଓ ଡଃ ମୋନୀକା ପ୍ରିୟଦର୍ଶିନୀ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଉଦ୍ଘାଟନୀ ସଭା ରେ ଉପସ୍ଥିତ ରହିଥିଲେ।
ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କ ଉତ୍ପାଦକୁ ବିଶ୍ବ ଦରବାରରେ ପହଞ୍ଚାଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ଓ ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ଙ୍କୁ ଲକ୍ଷପତି ଦିଦି ସୃଷ୍ଟିର ଲକ୍ଷ୍ୟ ନେଇ ଏହି ମେଳା ବେଶ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।ମେଳାରେ ବିଭିନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଦ୍ୱାରା ଖୋଲା ଯାଇଥିବା ଷ୍ଟଲରେ ସାମଗ୍ରୀ କିଣିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।