
ନୂଆଦିଲ୍ଲୀ: ବୀର ସାବରକରଙ୍କ ଉପରେ ରାହୁଲ ଗାନ୍ଧୀ ଦେଇଥିବା ବିବୃତ୍ତି ମାମଲାରେ ଆଜି ଲକ୍ଷ୍ନୌର ଏକ କୋର୍ଟରେ ଶୁଣାଣି ଥିଲା। କିନ୍ତୁ ଏହି ଶୁଣାଣି ପାଇଁ ଲୋକସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ହାଜର ହୋଇପାରିନଥିଲେ। ଯେଉଁଥିପାଇଁ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାହୁଲଙ୍କ ଉପରେ ୨୦୦ ଟଙ୍କା ଜରିମାନା କରିବା ସହିତ ବିଚାରପତି ମଧ୍ୟ ଚେତାବନୀ ଦେଇଛନ୍ତି। ରାହୁଲ ଗାନ୍ଧୀ କୌଣସି ପରିସ୍ଥିତିରେ ଏପ୍ରିଲ ୧୪ ତାରିଖରେ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ବିଚାରପତି କହିଛନ୍ତି।
ଯଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏପ୍ରିଲ ୧୪ ତାରିଖରେ କୋର୍ଟରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରାହୁଲ ଗାନ୍ଧୀ ଅକୋଲା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୀର ସାବରକରଙ୍କ ଉପରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ସେ ବୀର ସାବରକରଙ୍କୁ ବ୍ରିଟିଶର ସେବକ ଏବଂ ପେନସନଭୋଗୀ ବୋଲି କହିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ବିରୋଧରେ ନୃପେନ୍ଦ୍ର ପାଣ୍ଡେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ପହଞ୍ଚିଥିଲେ। ଯାହା ଉପରେ ଆଜି ଶୁଣାଣି ହେବାର ଥିଲା।