କଳାହାଣ୍ଡିରୁ “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

Published: Mar 17, 2025, 11:40 am IST

ଭୁବନେଶ୍ଵର: ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ବିଜେପି ରାଜ୍ୟ ସରକାରଙ୍କ ସାତ ହଜାର ପାଞ୍ଚ ଶହ ପଚାଶ କୋଟି ଟଙ୍କାର ବ୍ୟୟ ଅନୁଦାନରେ ଚଳିତ ବଜେଟରେ ଏକ ନୂଆ ଯୋଜନା “ଅନ୍ତୋଦୟ ଗୃହ ଯୋଜନା”ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଏହି ବହୁ ପ୍ରତିକ୍ଷୀତ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ କଳାହାଣ୍ଡି ଭଳି ଏକ ଆକାଂକ୍ଷି ଜିଲ୍ଲାରେ ଆସନ୍ତା ୩୦ ମାର୍ଚ୍ଚ ରବିବାର ଦିନ ଭବାନୀପାଟଣା ଠାରେ ଶୁଭାରମ୍ଭ କରିବା ପାଇଁ କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସର୍କିଟ ହାଉସ ଠାରେ ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପଟ୍ଟଯୋଷି, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ଓ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆନ୍ତରିକ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ଜିଲ୍ଲା ସଙ୍ଗଠନର ସମସ୍ତ କର୍ମକର୍ତ୍ତା, ସମସ୍ତ ମୋର୍ଚ୍ଚାର ସଭାପତି ଓ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟ ସଦସ୍ୟା ମାନେ ସଂଘବଦ୍ଧ ଭାବେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରିବା ପାଇଁ ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଷି ସମସ୍ତଙ୍କୁ ଅନୁରୋଧ କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ତୃଣମୂଳ ସ୍ତର କର୍ମୀ ଏଥିରେ ସକ୍ରିୟ ସହଯୋଗ ପାଇଁ ସହମତି ପ୍ରକାଶ କରିଥିଲେ।

Related posts