
ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୧୧ ଟାରେ ଏକ ବୈଠକ ଡକାଯାଇଛି। ଏହା ସହିତ ଆଜି ସୁରକ୍ଷା ବ୍ୟାପାର କମିଟି CCS ର ଏକ ବୈଠକ ମଧ୍ୟ ହେବ।
ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟର କୌଣସି ବୈଠକ ହୋଇ ନଥିଲା ଏବଂ କେବଳ କ୍ୟାବିନେଟ ସୁରକ୍ଷା କମିଟି (ସିସିଏସ୍) ଏପ୍ରିଲ୍ ୨୩ ତାରିଖରେ ବୈଠକ କରିଥିଲା ଯେଉଁଥିରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଥିଲା। ଗତ ବୁଧବାର ସିସିଏସ୍ ବୈଠକ ପରେ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ହ୍ରାସ କରିବା ସହିତ ଭାରତ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ଆତଙ୍କବାଦ ବିରୋଧରେ ‘ପ୍ରଚଣ୍ଡ ପ୍ରହାର’ କରିବା ପାଇଁ ସେ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ ଜେନେରାଲ ଅନୀଲ ଚୌହାନ ଏବଂ ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ।