Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୂରହେଲା ମାତୃତ୍ୱ ଛୁଟି ସମସ୍ୟା: ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ହେଲା ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ 
ଆଜିର ଖବର

ଦୂରହେଲା ମାତୃତ୍ୱ ଛୁଟି ସମସ୍ୟା: ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ହେଲା ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ 

May 21, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।

ଏହା ସହିତ, ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ, ମାତୃତ୍ଵ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ବ ଥିଲା। ସେ ସମସ୍ୟା ମଧ୍ୟ ଦୂର ହୋଇ ପାରିଛି। ଏହା ସହିତ ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି।

ନୂତନ ନିଷ୍ପତ୍ତି ଅନୁଯାୟୀ- ସମ୍ଭାବ୍ୟ ପ୍ରସବ ତାରିଖର (Expected Delivery  Date) ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ଛଅ ମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ଵ ଛୁଟି ନେଇପାରିବେ।

କିନ୍ତୁ, ଜଣେ ମହିଳା ସରକାରୀ କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥିଲେ, ସେ ସରକାରୀ ସେବାରେ ଯୋଗ ଦେବା ପରେ, ତାଙ୍କର ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ । ତେଣୁ ଏହି କ୍ଷେତ୍ରରେ, ମାତୃତ୍ବ ଛୁଟି ୧୮୦ ଦିନରୁ କମ୍ ହେବ।

ଉଦାହରଣ- ଜଣେ ମହିଳାଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ତାଙ୍କର ଶିଶୁକୁ ୨୭.୦୯.୨୦୨୫ରେ ଛଅ ମାସ ପୂର୍ଣ୍ଣ ହେବ । ଯଦି ସେ ୧୯.୦୬.୨୦୨୫ ତାରିଖରେ ସରକାରୀ ସେବାରେ ଯୋଗ ଦେଇ ମାତୃତ୍ବ ଛୁଟି ପାଇଁ ଆବେଦନ କରନ୍ତି, ତେବେ ସେ ୨୦.୦୬.୨୦୨୫ ରୁ ୨୭.୦୯.୨୦୨୫ ତାରିଖ ପର୍ଯ୍ୟନ୍ତ (ଅର୍ଥାତ୍ କେବଳ ୧୦୦ ଦିନ) ମାତୃତ୍ବ ଛୁଟି ପାଇଁ ଯୋଗ୍ୟ ହେବେ।

ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ଵ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ (miscarriage) କିମ୍ବା ଜନ୍ମିତ ଶିଶୁର ମୃତ୍ୟୁ (ଜନ୍ମର ୨୮ ଦିନ ମଧ୍ୟରେ) କିମ୍ବା ମୃତ ଶିଶୁ ଜନ୍ମ (୨୮ ସପ୍ତାହ କିମ୍ବା ତଦୁର୍ଦ୍ଧ୍ବ ସମୟର ଗର୍ଭଧାରଣ ପରେ ଯଦି ନିର୍ଜୀବ ଶିଶୁର ଜନ୍ମ ହୁଏ) ହୁଏ, ତେବେ ତାଙ୍କର ମାତୃତ୍ବ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ।

କିନ୍ତୁ ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହୁଏ, ତେବେ ସମ୍ପୃକ୍ତ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ବ ଛୁଟି ସେହି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ । ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଶେଷ ହୋଇଯାଇଥିବ, ତେବେ ସେ ୧୪ ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ କିମ୍ବା ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ସେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକିଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ।

ଉଦାହରଣ-୧: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ସମ୍ଭାବ୍ୟ ପ୍ରସବ ତାରିଖ (EDD) ହେଉଛି ୩୦.୦୬.୨୦୨୫ ଏବଂ ସେ ଚିକିତ୍ସାଜନିତ ଜଟିଳତା ହେତୁ ଉପରୋକ୍ତ EDDର ତିନି ମାସ ପୂର୍ବରୁ ଯଥା ୦୧.୦୪.୨୦୨୫ ତାରିଖରୁ ମାତୃତ୍ଵ ଛୁଟି ନେଇଛନ୍ତି। ଯଦି ତାଙ୍କର ୦୧.୦୬.୨୦୨୫ ତାରିଖରେ ମୃତ ଶିଶୁ ଜନ୍ମ (still birth) ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨.୦୭ ୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ବ ଛୁଟି ନେଇପାରିବେ।

ଉଦାହରଣ-୨: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫। ଯଦି ୨୮.୦୪.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୦୮.୦୬.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ବ ଛୁଟି ନେଇପାରିବେ।

ଉଦାହରଣ-୩: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ଯଦି ୦୧.୦୫.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍‌, ଜନ୍ମର ୨୮ ଦିନ ପରେ ଶିଶୁର ମୃତ୍ୟୁ ହୁଏ) ତେବେ ସେହି ତାରିଖରୁ ୧୪ ପର୍ଯ୍ୟନ୍ତ ଅର୍ଥାତ୍ ୧୪.୦୫.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ଵ ଛୁଟି ନେଇପାରିବେ।

ଉଦାହରଣ-୪: ଜଣେ ମହିଳା ସରକାରୀ କର୍ମଚାରୀ ୩୧.୦୧.୨୦୨୫ ତାରିଖରୁ ମାତୃତ୍ଵ ଛୁଟି ନେଇଛନ୍ତି ଏବଂ ତାଙ୍କର ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ଯଦି ୨୯.୦୭.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍‌, ଜନ୍ମର ୧୨୦ ଦିନରେ ଏବଂ ମାତୃତ୍ବ ଛୁଟି ଅବଧିର ଶେଷ ଦିନରେ ) ତେବେ ସେହି ତାରିଖରୁ ୧୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨.୦୭.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ବ ଛୁଟି ନେଇପାରିବେ।

ଉଦାହରଣ-୫: ଜଣେ ମହିଳା ସରକାରୀ କର୍ମଚାରୀ ୦୭.୦୨.୨୦୨୫ ତାରିଖରୁ ୦୫.୦୮.୨୦୨୫ ତାରିଖ ପର୍ଯ୍ୟନ୍ତ (ଛଅ ମାସ) ମାତୃତ୍ବ ଛୁଟି ନେଇଛନ୍ତି ଏବଂ ତାଙ୍କର ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ଯଦି ୨୯.୦୭.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍‌, ଜନ୍ମର ୧୨୦ ଦିନରେ ଏବଂ ମାତୃତ୍ଵ ଛୁଟି ଅବଧିର ୧୭୩ ଦିନରେ ) ତେବେ ସେ ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଅର୍ଥାତ୍ ୧୨.୦୮.୨୦୨୫ ତାରିଖ ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ । ଏହି କ୍ଷେତ୍ରରେ, ତାଙ୍କର ମାତୃତ୍ବ ଛୁଟିର ଅବଧି ୧୮୭ ଦିନ (୦୭.୦୨.୨୦୨୫ ଠାରୁ ୧୨.୦୮.୨୦୨୫ ପର୍ଯ୍ୟନ୍ତ) ହେବ।

ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ଵ ଛୁଟି ପ୍ରଦାନ କରାଯିବ । ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ।

ଯଦି ମାତୃତ୍ବ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ( ହାର୍ଡ କିମ୍ବା ସଫ୍ଟ କପି ) ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ଉଚ୍ଚ ପଦବୀରେ ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ବ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ।

ଜଣେ ମହିଳା ସରକାରୀ କର୍ମଚାରୀ ତାଙ୍କର ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ।

ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ଛୁଟି ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Latest News

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.