ଓଡିଆ ସିନେମାରେ କେହିଜଣେ ହେମନ୍ତ ଦାସ ଥିଲେ, ଏକଥା ଆମେ ଯଦି ଭୁଲିଯାଉ, ତେବେ ଆମର ଓଡିଆପଣ କୁ ଧିକ

Published: Dec 18, 2018, 4:45 am IST

କେଦାର ମିଶ୍ର –

ବାବୁ ତୁ କ’ଣ ଆଉ ସିନେମାରେ କାମ କରୁନୁ?

– ନାଇଁରେ, ମୁଁ ବୁଢ଼ା ହୋଇଗଲିଣି ତ? ସେଥିପାଇଁ ସେମାନେ ମୋତେ ଆଉ ଖୋଜୁନାହାନ୍ତି । ଯା’ହେଉ, ତୁ ମୋତେ ମନେରଖିଛୁ ।

ପ୍ରାୟ ପାଞ୍ଚବର୍ଷ ତଳେ ପୁରୀ ବଡ଼ଦାଣ୍ଡରେ ଜଣେ ରିକ୍ସାବାଲା ଓ ସ୍ୱର୍ଗତ ଅଭିନେତା ହେମନ୍ତ ଦାସଙ୍କ କଥୋପକଥନର କିଛି ଅଂଶ ଇଏ । ହେମନ୍ତ ଦାସଙ୍କୁ ଚିହ୍ନିଥିବା ରିକ୍ସାବାଲା ଓ ରିକ୍ସାବାଲାକୁ ଭଲପାଉଥିବା ହେମନ୍ତ ଦାସଙ୍କୁ ନେଇ ଯେଉଁ ପୃଷ୍ଠଭୂମି ନିର୍ମାଣ ହୋଇଛି ସେଥିରେ ଆମ ଜୀବନବୋଧ ଓ କଳାପକ୍ଷର ଏକ ବିଚିତ୍ର ଦିଗର ସଙ୍କେତ ମଧ୍ୟ ରହିଛି । ଶିଳ୍ପୀ ଓ କଳାକାରର ଦେଶ ବୋଲି ଛାତି ବାଡ଼େଇବାରେ ଆମ ଗୌରବବୋଧର କୌଣସି ସୀମା ନାହିଁ । ବାସ୍ତବ ଜୀବନରେ କଳାର ଅମର୍ଯ୍ୟାଦା ଏବଂ ଶିଳ୍ପୀକୁ ଅବହେଳା ତାଙ୍କର ଉପେକ୍ଷିତ ଜୀବନ କାହାଣୀ କେବଳ ନୁହେଁ, ତାହା ପ୍ରତ୍ୟେକ ଓଡ଼ିଆ କଳାକାରର ଉପେକ୍ଷା ଓ ଅବହେଳାର ଅନ୍ୟତମ ଦୃଷ୍ଟାନ୍ତ ମାତ୍ର ।

ହେମନ୍ତ ଦାସଙ୍କ ଅଭିନୟକୁ ଆମ ଚଳଚ୍ଚିତ୍ର ଜୀବନର ସେହି ବିନ୍ଦୁ ବୋଲି ଆମେ କହିପାରିବା, ଯୋଉଠି ଗୋଟିଏ ପ୍ରଜନ୍ମର ପୂର୍ଣ୍ଣଛେଦ ପଡ଼ିଲା । ରଙ୍ଗମଞ୍ଚ ଏବଂ ଚଳଚ୍ଚିତ୍ରର ଅନ୍ତିମ ମହାନାୟକ ସିଏ । ଅଭିନୟରେ ନିଖୁଣ ଓଡ଼ିଆ ଭାବ, ସଂଳାପ, ଉଚ୍ଚାରଣରେ ନିପଟ ଓଡ଼ିଆପଣ ଏବଂ ଚାହାଣୀ-ଚଳଣୀ ଓ ନିତାନ୍ତ ସାଧାରଣ ଓଡ଼ିଆ ମଣିଷର ପ୍ରତିନିଧି । କ୍ରମଶଃ ମାଙ୍କଡ଼ମାନଙ୍କର ସହର ପାଲଟି ଯାଉଥିବା ଆମ ଚଳଚ୍ଚିତ୍ରର ପରଦା ଭିତରେ ହେମନ୍ତ ବାବୁଥିଲେ ଓଡ଼ିଆ ମଣିଷର ସ୍ୱପ୍ନ ଓ ସଂଘର୍ଷର ପ୍ରତିନିଧି । ସେ ଅଭିନୟ ଜଗତର ଏମିତି ଏକ ପିଢ଼ିରୁ ଆସିଥିଲେ ଯେଉଁଠି ଜାଗତିକ ସଫଳତାର କୌଣସି ଅର୍ଥ ନଥିଲା । ଅଭିନୟର ନିଶା ଘାରିଥିଲା ବୋଲି ସେମାନେ ‘ଷ୍ଟାର୍’ ହେବାର ମୋହରେ ପଡ଼ିନଥିଲେ । ବେପାରୀ ବା ବଜାରୀ ହେବା କଳାର ଲକ୍ଷ୍ୟ ନୁହେଁ- ସେଠି ଜୀବନ ଓ ପ୍ରେମ ହିଁ ସବୁଠୁ ବଡ଼ କଥା । ଏଇ ପ୍ରେମ ସେମାନଙ୍କୁ ବାଇଆ କରିଥିଲା । ମଞ୍ଚ ଓ ପରଦାରେ ସେମନେ ନିଜ ଜୀବନକୁ ସମୁଦାୟ ଢାଳି ପକେଇଥିଲେ । ଉଚ୍ଚଶିକ୍ଷା ଓ ସ୍ୱଚ୍ଛଳ ପରିବାରରୁ ଆସିଥିବା ଅନେକ ଯୁବକ ସେତେବେଳେ କଳାକାର ହେବାର ନିଶାରେ ସ୍ୱେଚ୍ଛାରେ ଦାରିଦ୍ର‌୍ୟକୁ ଗ୍ରହଣ କରିଥିଲେ ।

ହେମନ୍ତ ଦାସଙ୍କ କଥା ସହ ମନେପଡ଼ୁଛି ସାମୁଏଲ ସାହୁ(ବାବି)ଙ୍କ କଥା । ଇଞ୍ଜିନିୟର ନହୋଇ ବାବି ବାବୁ ଅଭିନେତା ହୋଇଥିଲେ । ପରିଣତିରେ ତାଙ୍କୁ ଯାହା ଭୋଗିବାକୁ ପଡ଼ିଥିଲା- ତା’ର ଇତିହାସ ଆମେ ସଭିଏଁ ଜାଣୁ । କଳା ଓ ଜୀବନର ନିଶା ଆଗରେ ଦାରିଦ୍ର‌୍ୟର କୌଣସି ମାନେ ନଥାଏ । କଳାକାର ଜାଣେ, ସେ ତା’ର ମାଟି ଓ ମଣିଷର ପ୍ରତିନିଧି । ତେଣୁ ମାଟିରେ ଲୋଟିବାକୁ-ମଣିଷ ସହ ଏକାକାର ହେବାକୁ ସେ ଜୀବନସାରା ସଂଘର୍ଷ କରୁଥାଏ । ଦରଗଢ଼ା ସ୍ୱପ୍ନମାନଙ୍କୁ, ଭାଙ୍ଗି ଯାଉଥିବା ଅଭିଳାଷ ଓ ଦଦରା ସଂକଳ୍ପ ନେଇ ଶିଳ୍ପୀର ଅଭିଯାତ୍ରା । ଶିଳ୍ପୀ ସବୁବେଳେ ନିଶାରେ ଥାଏ । ନିଶାରେ ଥିବା ମଣିଷ ଜୀବନର ଅସଲ ସତ୍ୟକୁ ବୟାନ କରିପାରେ । ଆମ ପାଇଁ ଏହି ନିଶାଗ୍ରସ୍ତ ଶିଳ୍ପୀମାନେଇ ସତ୍ୟର ଆବିଷ୍କାରକ । ବିଡ଼ମ୍ବନାର କଥା ହେଲା ସେମାନଙ୍କୁ ଆମେ ସହଜରେ ଚିହ୍ନିପାରୁନା ।

ବିଫଳତାର କଥା ଉଠୁଛି ଯେତେବେଳେ, ହେମନ୍ତ ଦାସଙ୍କ ବିଫଳତା କଥା ବି ଉଠୁ । ଫକୀର ମୋହନଙ୍କ ‘ପେଟେଣ୍ଟ ମେଡ଼ିସିନ୍’କୁ ୁ ନେଇ ‘ସୁଲୋଚନା’ ସିନେମା କରିବା ଲାଗି ତାଙ୍କର ଦୀର୍ଘବର୍ଷର ପ୍ରୟାସ ମରିବା ଯାଏ ସଫଳ ହେଲାନାହିଁ । ବାବୁ ଚନ୍ଦ୍ରମଣିଙ୍କୁ ଚଳଚ୍ଚିତ୍ରରେ ଦେଖିବାର ଓ ଦେଖାଇବାର ଅଧୁରାସ୍ୱପ୍ନ ଆଖିରେ ନେଇ ହେମନ୍ତ ଦାସ ଚାଲିଗଲେ । ମରିବାଆଗରୁ କହିଥିଲେ ବିଫଳତାକୁ ନେଇ ଭାବିଲେ କେବଳ ଅନୁଶୋଚନା ହିଁ ସାର ହେବ । ସତ୍ କଳାକାର କେବେବି ସଫଳତା, ବିଫଳତାକୁ ନେଇ ଚିନ୍ତା କରେନି । ତା’ପାଇଁ ସ୍ୱପ୍ନଟି ସବୁଠୁ ବଡ଼ । ଗୋଟେ ସ୍ୱପ୍ନକୁ ନେଇ ସେ ବଞ୍ଚେ । ତାକୁ ସାକାର କରିବା ଲାଗି ସଂଘର୍ଷ ଭିତରେ ପରାଜୟକୁ ସେ ଅସ୍ୱୀକାର କରେ । ପରାଜୟକୁ ଅସ୍ୱୀକାର କରିବା କମ୍ ବିଜୟ ନୁହେଁ ।

ହେମନ୍ତ ଦାସଙ୍କୁ ରିକ୍ସାବାଲା ଯେଉଁ ପ୍ରଶ୍ନ ପଚାରିଥିଲା, ସେ ପ୍ରଶ୍ନର ଉତ୍ତର ଆସନ୍ତାକାଲି ଆଉ କେଉଁ କଳାକାର ହୁଏତ ଦେବେନାହିଁ । ହୁଏତ, ଏମିତି ପ୍ରଶ୍ନଟିଏ ପଚାରିବାକୁ ରିକ୍ସାବାଲାଟିଏ ଯେ ମିଳିବ, ସେ ସମ୍ଭାବନା ମଧ୍ୟ ଦିଶୁନାହିଁ । ଚଳଚ୍ଚିତ୍ର ଯେଉଁଠି ଚକ୍ ଚକ୍ ବେପାର; ସେଠି ହେମନ୍ତ ଦାସମାନେ ବୁଢ଼ା ହୋଇ ଉପେକ୍ଷା ଭୋଗିବାକୁ ଓ ଚୁପ୍ଚାପ୍ ମରିଯିବାକୁ ବାଧ୍ୟ । ମୃତ୍ୟୁ ଗୋଟେ ନାଟକର ଯବନିକା ପତନ ନୁହେଁ- ତାହା ଇତିହାସର ନୂଆ ଏକ ଆରମ୍ଭ । ହେମନ୍ତ ଦାସଙ୍କ ଜୀବନ ଗୋଟେ ଲମ୍ବା ଇତିହାସ-ସେମିତି ମୃତ୍ୟୁ ବି ଗୋଟେ ନୂଆ ନାଟର ଉଦ୍ଘୋଷଣା ।

 

Related posts