ରେଢ଼ାଖୋଲ (କନ୍ଦର୍ପ ବେହେରା): ଆକାଂକ୍ଷୀ ବ୍ଲକ୍ ଭାବରେ ‘ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ପାଇଲେ ନାକଟିଦେଉଳ ବ୍ଲକ ର ବିଡ଼ିଓ କ୍ଷମା ନିଧି ଭୋଇ। ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମ୍ମାନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ନାକଟିଦେଉଳ ବିଡ଼ିଓଙ୍କୁ ତାମ୍ର ଫଳକ ଦେଇ ସମ୍ମାନିତ କରିଥିଲେ।
ଓଡ଼ିଶାର ଦୁର୍ଗମ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ସହିତ ୬ଟି ମୁଖ୍ୟ ସୂଚକାଙ୍କରେ ପରିପୂର୍ଣ୍ଣତା ଆଣିବା ପାଇଁ ‘ସମ୍ପୂର୍ଣ୍ଣତା ଅଭିଯାନ’ ଏକ ବିଶେଷ ପଦକ୍ଷେପ ଭାବେ ଆରମ୍ଭ ହୋଇଛି।
ଏହି ଯୋଜନା ବର୍ତ୍ତମାନ ରାଜ୍ୟର ୧୦ଟି ଜିଲ୍ଲା ଓ ୪୦ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି, ଯାହା କେନ୍ଦ୍ର-ରାଜ୍ୟ ସମନ୍ୱୟ ଏବଂ ସ୍ଥାନୀୟ ପ୍ରଶାସନ ଓ ନାଗରିକଙ୍କ ସକ୍ରିୟ ଭାଗିଦାରିତାରେ ଆହୁରି ତ୍ୱରାନ୍ୱିତ ହୋଇଛି। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଆର୍ଥିକ ସମାବେଶ, ମୌଳିକ ସୁବିଧା ଓ ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମ ଏହି ଅଭିଯାନ ର ମୂଳ ଲକ୍ଷ୍ୟ।
ଏହି ଅବସରରେ ସମ୍ବଲପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ପ୍ରସନ୍ନ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଡେପୁଟି ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ଦେଓ, ଡାକ୍ତର ଅମୂଲ୍ୟ ରତ୍ନ ମହନ୍ତ, ସିଡିପିଓ ରେବତୀ ବେହେରା, ଏବିଏଫ୍ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନେ ସମ୍ମାନ ପ୍ରଦାନ ସମାରୋହରେ ଉପସ୍ଥିତ ଥିଲେ।