ଭୁବନେଶ୍ଵର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣିତ ଯୋଜନା ଗୁଡିକର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି। ଗତକାଲି ରାଜଭବନଠାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ଅବସରରେ ରାଜ୍ୟପାଳ ନିର୍ମାଣ କାର୍ଯ୍ୟ ଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା, ଗ୍ରାମୀଣ ପାଇପ ଜଳ ଯୋଗାଣ କ୍ଷେତ୍ରର ଅଗ୍ରଗତି ସଂପର୍କରେ ରାଜ୍ୟପାଳ ବିଷଦ ଭାବେ ସମୀକ୍ଷା କରିଥିଲେ।
ବିଶୁଦ୍ଧ ପାନୀୟଜଳ ଲୋକମାନଙ୍କର ମୌଳିକ ଆବଶ୍ୟକତା ହୋଇଥିବାରୁ ଏହାକୁ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ବୋଲି ରାଜ୍ୟପାଳ କହିଥିଲେ। ପଞ୍ଚାୟତ ବ୍ୟବସ୍ଥା ଲୋକଙ୍କ ନିକଟତର ହେବାରେ ଆବଶ୍ୟକତାକୁ ଗୁରୁତ୍ବାରୋପ କରି କ୍ଷମତା ବିକେନ୍ଦ୍ରୀ କରଣ ଦ୍ବାରା ପ୍ରଶାସନ ଅଧିକ ଜନାଭିମୁଖୀ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ।
ଏହି ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକ, ବିଭାଗର ନିର୍ଦ୍ଦେଶକ ବିନିତ ଭରଦ୍ବାଜ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଗ୍ରାମ୍ୟଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମିନାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।