ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୩ ଜଣ ମତ୍ସ୍ୟଜୀବୀ ଗିରଫ ସମେତ ୨ଟି ଡ଼ଙ୍ଗା ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ଟାଙ୍ଗୀ ମଙ୍ଗଳାଯୋଡିର ସ୍ବର୍ଗତ ନଟବର ବେହେରାଙ୍କ ପୁଅ ଶ୍ରୀକୃଷ୍ଣ ବେହେରା (୪୨) ଏବଂ ବଉଳାବନ୍ଧ ଗ୍ରାମର ସ୍ବର୍ଗତ ନିମେଇ ଘଡେଇଙ୍କ ପୁଅ ପ୍ରମୋଦ ଘଡେଇ (୫୦) ଓ ପ୍ରମୋଦ ଘଡେଇଙ୍କ ପୁଅ ପ୍ରଶାନ୍ତ ଘଡେଇ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ନିକଟରୁ ୨ ଟି ଯନ୍ତ୍ର ଚାଳିତ ଡଙ୍ଗା, ୮ ସେଟ ଖନ୍ଦା ଜାଲ, ୨ଟି ବାଉଁଶ କାତ, ୬୫ ଟି ବାଉଁଶ କିଳା ଜବତ କରାଯାଇଛି।
ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଅବାଧ ପ୍ରବେଶ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।